କନକ ବ୍ୟୁରୋ : ଚାଷୀଙ୍କ ନାଁରେ ଋଣ ଜାଲିଆତି । ତିନି ଶହରୁ ଅଧିକ ଚାଷୀଙ୍କ ନାଁରେ ଚଂଚକତା କରି କୋଟିଏରୁ ଅଧିକ ଟଙ୍କାର ଋଣ ଉଠିଛି । କଳାହାଣ୍ଡି ଭବାନୀପାଟଣା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖାରୁ ଚାଷୀଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠିଛି । ଋଣ ପରିଶୋଧ ନେଇ ଚାଷୀଙ୍କ ପାଖକୁ ନୋଟିସ ଆସିବା ପରେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।
ମାସେ ଭିତରେ ଋଣ ପରିଶୋଧ କର । କଳାହାଣ୍ଡି ଜିଲ୍ଲା ଭାବନୀପାଟଣାର ଶତାଧିକ ଚାଷୀଙ୍କ ପାଖକୁ ଆସିଛି ଏମିତି ନୋଟିସ । ଋଣ ପଇଠ କରିବା ପାଇଁ ଦୁଧେଲ, କାନ୍ଦୁଲଝର, ଟେପସା, ପଲନା, ବାଲିପାଟି, ଅଜରାଇ, ଅର୍ତଲ ଗାଁର ଚାଷୀଙ୍କୁ ନୋଟିସ କରିଛି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଚାଷୀମାନେ ଋଣ ପାଇଁ ଆବେଦନ କରିନାହାନ୍ତି କି ନେଇ ବି ନାହାନ୍ତି । କିନ୍ତୁ ଶୁୁଝିବା ପାଇଁ ନୋଟିସ୍ ଆସିଛି । ଚାଷୀଙ୍କ ଜାଲ ଦସ୍ତଖତରେ ବେନାମୀ କୃଷି ଋଣ ଟଙ୍କା ଉଠିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଭବାନୀପାଟଣା ଉକ୍ରଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ପଂଚାୟତ ନିର୍ବାଚିତ ପ୍ରତିନିଧି ଓ କିଛି ଦଲାଲ ମିଶି ଏଭଳି କରିଥିବା ଅଭିଯୋଗ ହୋଇଛି ।
ଋଣ ପରିଶୋଧ ନେଇ ନୋଟିସ ପାଇବା ପରେ ଚାଷୀମାନେ ବ୍ୟାଙ୍କରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଅଭିଯୋଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କିଛି ଚାଷୀଙ୍କ ନାଁରେ ଜାଲ ଦସ୍ତଖତ ହୋଇଥିବା ବେଳେ ଆଉ କିଛି ଚାଷୀଙ୍କ ନାଁରେ ଉପରେ ଅନ୍ୟ ବ୍ୟକ୍ତିଙ୍କ ଫଟୋ ଲାଗିଛି । ନକଲି ଭୋଟ ପରିଚୟ, ନକଲି ଟିପ ଚିହ୍ନ ମଧ୍ୟ ଦିଆଯାଇଛି । ସେପଟେ କୃଷି ଋଣ ଠକେଇ ଅଭିଯୋଗ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଚ ଅଧିକାରୀଙ୍କ ଜଣାଇଥିବା କହିଛନ୍ତି ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖା ପରିଚାଳକ । ଋଣ ଟଙ୍କା ଠକେଇ କରିବା ପାଇଁ ଚାଷୀ ନକଲି ଫଟୋ, ଭୋଟ ପରିଚୟ ପତ୍ର ତ ବ୍ୟବହାର କରିଛନ୍ତି ଦଲାଲ, ୨ ଜଣ ମୃତ ଚାଷୀଙ୍କ ନାଁରେ ବି ଋଣ ଉଠିଛି ।