କଳାହାଣ୍ଡିରେ ଅନହାର ମୃତ୍ୟୁ ଅଭିଯୋଗ ! ମାନିଲାନି ଜିଲ୍ଲାପ୍ରଶାସନ, ବିଧାନସଭାରେ ଗର୍ଜିଲେ ବିରୋଧୀ

43

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରୁ ଆସିଛି ଅନାହାର ମୃତ୍ୟୁ ଅଭିଯୋଗ । ଜୁନାଗଡ ବ୍ଲକ ଅନ୍ତର୍ଗତ ବାଲିଛଡା ଗାଁରେ ରଙ୍କନିଧି ଖୁରା ନାମକ ଜଣେ ଯୁବକଙ୍କ ଅନାହାରରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନର ଜାଣତରେ ଅନାହାର ମୃତ୍ୟୁ ହୋଇଥିବା ବେଳେ ସେହି ପରିବାରର ୨ ଜଣ ସଦସ୍ୟ ମଧ୍ୟ ଏବେ ମୃତ୍ୟୁ ସଂହ ସଂଗ୍ରାମ କରୁଛନ୍ତି ।

ରଙ୍କନିଧିଙ୍କ ମାଆ ୭୦ ବର୍ଷ ବୟସ୍କା ଚନ୍ଦ୍ରାବତୀ ଖୁରା ଓ ଭାଇ ଦୟାନିଧି ମଧ୍ୟ ଅଭାବ ଅସୁବିଧାରେ ପଡିରହିଛନ୍ତି । ଚନ୍ଦ୍ରାବତୀ ପାଖରେ ନା ଅଛି ରାସନ କାର୍ଡ ନା ଅଛି ରହିବାକୁ ଘର । ଏକ କୁଡିଆରେ ଅର୍ଦ୍ଧ ପାଗଳ ଦୟାନିଧିଙ୍କ ସହ ଅତ୍ୟନ୍ତ ଦୁର୍ଦ୍ଦଶାରେ କଟୁଛି ଚନ୍ଦ୍ରାବତୀଙ୍କ ଜୀବନ । ପ୍ରଶାସନର ଅଣଦେଖା ଯୋଗୁଁ ରଙ୍କନିଧିଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି ।

ଖବର ପାଇଁ ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଅନ୍ୟପଟେ ଜୁନାଗଡ ବିଡିଓ ପରଂବ୍ରହ୍ମ ଯୋଷୀ ଅନାହାର ମୃତ୍ୟୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଅନ୍ୟପଟେ କଳାହାଣ୍ଡିରେ ଅନାହାରମୃତ୍ୟୁ ଅଭିଯୋଗକୁ ବିଧାନସଭାରେ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ସ୍ଥାନରେ ଅନାହାର ମୃତ୍ୟୁ ହେଲେ ସେହି ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟୀ । ତେଣୁ ଅନହାର ମୃତ୍ୟୁ ସଂପର୍କରେ ରାଜସ୍ୱମନ୍ତ୍ରୀ ଗୃହରେ ମନ୍ତବ୍ୟ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିବା ବିରୋଧୀ ଦଳ ନେତା କହିଛନ୍ତି ।