କନକ ବ୍ୟୁରୋ : ଗତକାଲି କାଳବୈଶାଖୀ ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି କାଳବୈଶାଖୀ ତାଣ୍ଡବ ରଚିଛି । ମୂଷଳ ଧାରା ବର୍ଷା ସାଙ୍ଗକୁ ପବନ ମାଡ଼ ଫଳରେ ଉପକୂଳ ଓଡ଼ିଶାବାସୀ ହନ୍ତସନ୍ତ ହୋଇଛନ୍ତି । ବିଦ୍ୟୁତ୍ ତାର ଛିଣ୍ଡିବା ଦ୍ୱାରା ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । କେନ୍ଦୁଝରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ଲାଗି ୨୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
/kanak/media/post_attachments/wp-content/uploads/2018/05/Rain-1-1.jpg)
ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗତକାଲି ରାତିଠାରୁ ଝଡ଼ବର୍ଷା ହୋଇଥିବା ବେଳେ ଗତକାଲି ଭୋରୁ ଉପକୂଳ ଓଡ଼ିଶାରେ ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୦ କି.ମି. ବେଗରେ ପବନ ହୋଇଥିଲା । ଭୁବନେଶ୍ୱର, କଟକ, ପୁରୀ, ଜଗତ୍ସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ହେବା ଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ। ମାତ୍ର ୩ ଘଣ୍ଟା ମଧ୍ୟରେ ଜଳାର୍ଣ୍ଣବ ହୋଇଥିଲା ସାରା ରାଜଧାନୀ । ଯୁଆଡେ ଚାହିଁଲେ ପାଣି ହିଁ ପାଣି ଦେଖିବାକୁ ମିଳିଥିଲା । ୩ ଘଣ୍ଟା ମଧ୍ୟରେ ଏଠାରେ ୬୮.୮ ମି.ମି. ବର୍ଷା ହେବାରୁ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇଥିଲେ ।
ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩୦ ତାରିଖ ଯାଏ ଏଭଳି ବର୍ଷା ଜାରି ରହିବ । ଘୂର୍ଣ୍ଣିବଳୟ ରହୁଥିଲେ ମଧ୍ୟ ଓଡ଼ିଶା ଉପରେ ତାହାର ସେଭଳି ପ୍ରଭାବ ପଡ଼ିବ ନାହିଁ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୨୮ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ । ଗଞ୍ଜାମ, ଗଜପତି ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବ ପଡ଼ିବ ।
ଅନ୍ୟପକ୍ଷରେ କାଳବୈଶାଖୀକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମେ’ ମାସରେ ଏଭଳି ବର୍ଷାକୁ ଅସ୍ୱାଭାବିକ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବର୍ଷା ସହ ବଜ୍ରପାତ ଯୋଗୁଁ ଗତ ଏପ୍ରିଲରୁ ମେ’ ୨୨ ମଧ୍ୟରେ ୬୧ ଜଣଙ୍କ ମୃତ୍ୟୁ ହୋଇଛି । କାଳବୈଶାଖୀ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ‘୧୦୭୯’ ରହିଥିବା ବେଳେ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ‘୧୦୭୭’ ରହିଛି । ସାପ କାମୁଡ଼ିଲେ କିମ୍ବା ବଜ୍ରପାତ ହେଲେ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଲୋକେ ଫୋନ୍ କରିପାରିବେ । ସାଧାରଣ ଲୋକଙ୍କୁ ସ୍ମାର୍ଟ ଫୋନ୍ରେ ବଜ୍ରପାତର ଆଗୁଆ ସୂଚନା ମିଳିପାରିବ । ବଜ୍ରପାତର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ମୋବାଇଲ୍ ଆପ୍ରେ ସୂଚନା ଦିଆଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି ।