ଭାଙ୍ଗିଯାଇଛି ଦଦରା ଘର । ରାସ୍ତା ସହ ସମ୍ପର୍କ ଯୋଡ଼ିଲା ତାଲାବନ୍ଦ । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । ଲକ୍ଷ୍ମୀଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି ରାସ୍ତା କଡରେ ଥିବା ଫୁଡଷ୍ଟଲ

138

କନକ ବ୍ୟୁରୋ : ଲକଡାଉନ୍ ଯୋଡିଛି ରାସ୍ତା ସହ ସମ୍ପର୍କ । ଭାଙ୍ଗିଯାଇଛି ଦଦରା ଘର । ମାଟିରେ ମିଶିଯାଇଛି ସଂସାର । ଏକାକି ଜୀବନ କାଟୁଥିବା ବୃଦ୍ଧାଙ୍କ ପାଇଁ ନିଷ୍ଠୁର ହୋଇପଡିଛି ଦଇବ । ନା ମିଳୁଛି ଘର । ନା ରହିଛି ନିଜର ପରିଚୟ । ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଥିବା ବୃଦ୍ଧାଙ୍କ ପାଇଁ ରାସ୍ତା କଡ ପାଲଟିଛି ଘର । ଅସହାୟ ଅବସ୍ଥାରେ ବିତୁଛି ଜୀବନ । ବନ୍ଦ ହୋଇଥିବା ଫାଷ୍ଟ ଫୁଡ ଦୋକାନ ଏବେ କେ. ଲକ୍ଷ୍ମୀଙ୍କ ପାଇଁ ସାଜିଛି ଘର । ଦେଖନ୍ତୁ ଏହି ରିପୋର୍ଟ ।

ଶୂନଶାନ୍ ରାସ୍ତା କଡରେ ଥିବା ଏହି ଫାଷ୍ଟଫୁଡ ଷ୍ଟଲ ଜଣେ ଅସହାୟ ମହିଳାଙ୍କର ସବୁକିଛି । ବର୍ଷା ଦିନେ ମୁଣ୍ଡ ଗୁଂଜିବାକୁ ଚାଳ ନାହିଁ, ତେଣୁ ସାହାରା ଦେଇଛି କରୋନା କଟକଣା ଯୋଗୁଁ ବନ୍ଦ ପଡିଥିବା ଏହି ଫାଷ୍ଟଫୁଡ ଷ୍ଟଲ । ମାଲକାନଗିରି ଜିଲା ମାଥିଲି ରାସ୍ତାକଡରୁ ଆସିଛି ଏମିତି ଏକ ଖବର । ସଦର ସାଗରସାହିର କେ. ଲକ୍ଷ୍ମୀ । ବୟସ ପ୍୍ରାୟ ୭୦ ବର୍ଷ । ଲକ୍ଷ୍ମୀଙ୍କର ଜାଗା ଅଛି, ହେଲେ ଘର ନାହିଁ । କି ଘର କରିବା ପାଇଁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ । ବର୍ଷାରେ ବୃଦ୍ଧାଙ୍କ ଘର ଧୋଇ ଯିବା ପରେ ଏହି ଫାଷ୍ଟ ଫୁଡ୍ ତାଙ୍କୁ ସାହାରା ଦେଇଛି ।

କେ. ଲକ୍ଷ୍ମୀ, ଆଗରୁ ଏମିତି ଏକା ଓ ଅସହାୟ ନଥିଲେ । ତାଙ୍କର ବି ଗୋଟିଏ ହସ ଖୁସି ସଂସାର ଥିଲା । ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ବୋଲି ଭେଣ୍ଡିଆ ପୁଅ ପାଗଳ ହୋଇ କେଉଁ ଆଡି ଚାଲିଯାଇଛି । ଆଉ ସେବେ ଠାରୁ ଏକାକୀ ଅସହାୟ ଜୀବନ କଟାଉଛନ୍ତି ଲକ୍ଷ୍ମୀ । ସରକାରଙ୍କ ମାଳମାଳ ଯୋଜନା ଥାଇ ବି ମୁଣ୍ଡ ଉପରେ ଛାତ ଟିଏ କି ଦୁଇ ଦୁଇ ମୁଠା ଦାନା ପାଉନାହାନ୍ତି ଜଣେ ଅସହାୟ ମାଆ । ଅନ୍ୟପକ୍ଷରେ ଲକ୍ଷ୍ମୀଙ୍କ ଦୁଃଖ ବାବଦରେ ସବୁ ଜାଣିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ।

ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନା । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆଳରେ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ଏବେ ବି ଦୁଇ ମଠା ଦାନା ନପାଇ ରାସ୍ତା କଡରେ ଜୀବନ ବିତାଉଛନ୍ତି ଲକ୍ଷ୍ମୀଙ୍କ ଭଳି ଅନେକ ଅସହାୟ ମଣିଷ ।