ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ସତ୍ୱେ ଟଳିଲାନି ସଙ୍କଟ ! ଆସନ୍ତାକାଲି ରାଜ୍ୟର ସବୁ କୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବେ ଆଇନଜୀବୀ 

ସେପଟେ ୪ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତି ନେଲା ବାର କାଉନସିଲ

85
କନକ ବ୍ୟୁରୋ : ଦେଢମାସ ଧରି ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସଙ୍କଟ ଟଳିବା ପରିବର୍ତ୍ତେ ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଆସନ୍ତାକାଲି ରାଜ୍ୟର ସବୁ କୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବେ ଆଇନଜୀବୀ । ଆଇନଜୀବୀଙ୍କୁ ପୋଲିସର ଆକ୍ରମଣ ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି ହାଇକୋର୍ଟ । ସେପଟେ ୯ତାରିଖ ସୁଦ୍ଧା ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟର ଅବସ୍ଥାପିତ ବିଚାରପତି ଜଷ୍ଟିସ ସିଆର ଦାସ, ତଦନ୍ତ କିଭଳି ଚାଲିଛି ତାର ତଦାରଖ କରିବେ । ସେପଟେ ଆଇନଜୀବୀ ନିଜ ଜିଦରେ ଅଟଳ ରହି, ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିସହ ବାର୍ କାଉନସିଲ୍ ବିରୋଧରେ ଯାଇଥିବା ୪ ଜଣ ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି ।
ଓକିଲଙ୍କୁ ଆକ୍ରମଣ ନେଇ ବିବାଦ ଦିନକୁ ଦିନ ତେଜୁଥିବା ବେଳେ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତକୁ ତଦାରଖ କରାଯିବ । ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତରଂଜନ ଦାସ ମାମଲାର ତଦାରଖ କରିବେ । ତଦନ୍ତର ଅଗ୍ରଗତି ନେଇ ପ୍ରତିଦିନ ଜଷ୍ଟିସ ଦାସଙ୍କୁ ଅବଗତ କରାଯିବ । ୯ ଦିନ ଭିତରେ ତଦନ୍ତ ସରିବ ଏବଂ ଆସନ୍ତା ନଭେମ୍ବର ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ।
 ଓକିଲଙ୍କୁ ପୋଲିସର ଆକ୍ରମଣ ନେଇ ତଦନ୍ତ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟ ବାର୍ କାଉନସିଲ୍ କିନ୍ତୁ ନିଜ ଜିଦରେ ଅଡି ବସିଛି । ବାର୍ କାଉନସିଲ୍ କହିଛି, ଆନ୍ଦୋଳନ ଜାରି ରହିବ । ସେପଟେ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି । ବିରୋଧୀ କହିଛନ୍ତି, ହାଇକୋର୍ଟରେ ଏଭଳି ଘଟଣା, ଇତିହାସରେ ପ୍ରଥମ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ କରନ୍ତୁ ।
ଏହାରି ଭିତରେ ସୋମବାର ହାଇକୋର୍ଟ ପରିସରରେ ପୋଲିସ କନେଷ୍ଟବଲଙ୍କୁ ଆକ୍ରମଣର ପ୍ରତିବାଦ କରିଛି ହାବିଲଦାର ଓ କନେଷ୍ଟବଲ ସଂଘ । ଆକ୍ରମଣ କରିଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି । ସେପଟେ ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ହାଇକୋର୍ଟ ପରିସରରେ ପୁଲିସ ମୁତୟନ ରହିବେ କହିଛନ୍ତି ପୁଲିସ କମିଶନର । ପୋଲିସର ମାଡ ପ୍ରତିବାଦରେ ଦୁଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଆଇନଜୀବୀ । ସୋମବାର ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ଘଟଣା ବିବାଦକୁ ଆହୁରି ବଢାଇଦେଇଛି ।