ଓଡିଶା ପାଇଁ ଗର୍ବ ! ପ୍ରଥମ ଥର ପାଇଁ ଜୁନିୟର ମଡେଲ ଇଂଟରନ୍ୟାସନାଲ ପ୍ରତିଯୋଗୀତାରେ ସ୍ଥାନ ପାଇଲେ କଟକ ଝିଅ ପଦ୍ମାଳୟା ନନ୍ଦ

68

ଜୁନିୟର ମଡେଲ ଇଂଟରନ୍ୟାସନାଲ ପ୍ରତିଯୋଗୀତାରେ ପ୍ରଥମ କରି ଜଣେ ଓଡିଆ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି କଟକ ତୁଳସୀପୁର ଅଂଚଳର ପଦ୍ମାଳୟା ନନ୍ଦ । କଟକ ଷ୍ଟିୱାର୍ଟ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ତଥା ୧୨ବର୍ଷ ବୟସ୍କା ପଦ୍ମାଳୟା ପ୍ରତିଯୋଗୀତା ପାଇଁ ଅନ-ଲାଇନ ମାଧ୍ୟମରେ ଟେଷ୍ଟ ଦେଇ ସଫଳତା ହାସଲ କରିଛନ୍ତି । ଏବେ ଲିଟିଲ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାରେ ଚାଲିବା ପାଇଁ ସେ ସୁଯୋଗ ପାଇଛନ୍ତି ।

ଅଭିନେତ୍ରୀ ଅର୍ଚ୍ଚିତାଙ୍କ ପରେ ଏବେ ଓଡିଆ ଝିଅ ପଦ୍ମାଳୟା ଅନ୍ତର୍ଜାତୀୟ ରାମ୍ପ ସୋ’ରେ ଭାଗ ନେବାକୁ ଯାଉଛନ୍ତି । ଆୟୋଜକଙ୍କ ଠାରୁ ମନୋନୀତ ଖବର ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏଥିସହ ରାମ୍ପ ସୋ’ ସହିତ ଅନ୍ୟାନ୍ୟ ଟେଷ୍ଟରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପଦ୍ମାଳୟା ।

ଆସନ୍ତା ଏପ୍ରିଲ ୩ରୁ କେରଳର କୋଢିକୋଡେ ଠାରେ ଜୁନିୟର ମଡେଲ ଇଂଟରନ୍ୟାସନାଲ ରାମ୍ପ ସୋ’ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ । ଏହି ରାମ୍ପ ସୋ’ ପାଇଁ ସାରା ଭାରତରୁ ୪୦ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ପୂର୍ବ ଭାରତରୁ କେବଳ ପଦ୍ମାଳୟା ମନୋନୀତ ହୋଇଛନ୍ତି ।

ଏଥିସହ ଭୋଟିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଯଦି ପଦ୍ମାଳୟାକୁ ଭୋଟ ଦେବାକୁ ଆପଣ ଚାହାନ୍ତି, ତେବେ ଜୁନିୟର ମଡେଲ ଇଂଟରନ୍ୟାସନାଲ ଇଣ୍ଡିଆ ଫେସବୁକ ପେଜକୁ ଯାଇ ପଦ୍ମାଳୟାର ଫୋଟୋକୁ ଲାଇକ କଲେ ତାହା ଭୋଟ ଭାବେ ଗଣାଯିବ ।