କଳାହାଣ୍ଡି ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲା : ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

3,768
କନକ ବ୍ୟୁରୋ : ଜୁନାଗଡ଼ ଦୁଷ୍କର୍ମ ମାମଲାରେ ୭ ଅଭିଯୁକ୍ତ ଗିରଫ । କଳାହାଣ୍ଡି ଜୁନାଗଡ଼ ଥାନା ଅନ୍ତର୍ଗତ ଏକ  ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ଜାରି ରହିଛି, ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବା ପାରେ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ଅନୁସାରେ ଗତ ୧୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଏଏନଏମ୍ ଛାତ୍ରୀ ଭବାନୀପାଟଣା ସହରକୁ ଆସିଥିଲେ । ଫେରିଲାବେଳେ ବସ୍ ଫେଲ୍ ହୋଇଥିଲେ। ବିଳମ୍ବ ହୋଇଥିବା ଯୋଗୁଁ ବସଷ୍ଟାଣ୍ଡରେ ଘରକୁ ଯିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ପର୍ଲା ଗ୍ରାମର ଜଣେ ବସ ଡ୍ରାଇଭର ନରେନ୍ଦ୍ର ଶବର(୩୫) ନିଜ ଗାଁକୁ ଫେରୁଥିଲେ । ଛାତ୍ରୀ ଜଣକ ନରେନ୍ଦ୍ର ଚଳାଉଥିବା ସୁଭଦ୍ରା ଘରୋଇ ବସରେ ନିୟମିତ ଯିବାଆସିବା କରୁଥିବାରୁ ଚିହ୍ନା ଥିଲେ । ଛାତ୍ରୀ ଜଣଙ୍କୁ ନରେନ୍ଦ୍ର ବାଇକରେ ଲିଫ୍ଟ ଦେଇଥିଲେ। ଦୁହେଁ ବାଇକରେ ଜୁନାଗଡ଼ ଅଭିମୁଖେ ଆସୁଥିଲେ । ବାଟରେ ଡ୍ରାଇଭରଙ୍କୁ ବାରମ୍ବାର ଫୋନ୍ ଆସୁଥିବା ଛାତ୍ରୀ ଜଣଙ୍କ ସୂଚନା ଦେଇଥିଲେ ।
ଜାତୀୟ ରାଜପଥ ୨୬ ବକ୍ସିତୁଲସୀପାଲି ଛକ ନିକଟରେ ପ୍ରାୟ ୬ରୁ ୭ ଜଣ ବାଇକ୍ ଆରୋହୀ ସେମାନଙ୍କୁ ଅଟକାଇଥିଲେ। ବାଇକ୍ ଅଟକିବା ପରେ ଛାତ୍ରୀ ଜଣଙ୍କୁ ମୁହଁରେ କପଡ଼ା ଦେଇ ନିକଟସ୍ଥ ଘନା ସଂରକ୍ଷିତ ଜଙ୍ଗଲକୁ ଉଠାଇ ନେଇଥିଲେ । ଡ୍ରାଇଭର ଜଣକ ସେମାନଙ୍କ ପିଛା କରିଥିଲେ । ଜଙ୍ଗଲରେ ଡ୍ରାଇଭର ଓ ଛାତ୍ରୀ ଜଣଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ ୬ରୁ ୭ ଜଣ ଯୁବକ । ପରେ ଜଣେ ପରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ମୋବାଇଲରେ ଏହାର ଭିଡିଓ ସୁଟିଂ କରିଥିଲେ । ଲୋକଲଜ୍ଜା ଆଶଙ୍କାରେ ପୁଲିସରେ ଏହି ଘଟଣାର ଏତଲା ଦେବାକୁ ଡ୍ରାଇଭର ମନା କରିଥିଲେ । ମାତ୍ର ଦୁଷ୍କର୍ମକାରୀମାନେ ଏହି ଘଟଣାର ଭିଡିଓ ଭାଇରାଲ କରି ଦେଇଥିଲେ।
ଏହା ଜାଣିବା ପରେ ପୀଡ଼ିତା ଜଣକ ରବିବାର ରାତିରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଭାତ ସେଠୀ ମାମଲା ରୁଜୁ (କେସ ନଂ ୨୨୪/୧୯) କରିଥିଲେ। ସୋମବାର ସକାଳେ ସାଇଣ୍ଟିଫିକ ଟିମ୍ ସହିତ କଳାହାଣ୍ଡି ଏସପି ବି. ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।