ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା : ଝାଡ଼ ଦର୍ଶନ କଲେ ୫ ଲକ୍ଷ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ମହିମାଧାମ ମହିମାଗାଦିରେ ଆଜି ୧୪୭ ତମ ମହିମା ମାଘ ମେଳା ସମାରୋହରେ ଆରମ୍ଭ ହୋଇଛି । ମାଘ ଚତୁର୍ଦ୍ଦଶୀରେ ଆଜି ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ୫ ଲକ୍ଷରୁ ଊର୍ଦ୍ଧ୍ବ ସାଧୁ,ଶ୍ରଦ୍ଧାଳୁଙ୍କ ସମାଗମ ମହିମାଗାଦିରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ମହିମାଗାଦିର ମୁଖ୍ୟ ଉପାସନା ପୀଠ ଗାଦିମନ୍ଦିରରେ ଆଜି ପ୍ରଥମ ଦିନ ଚତୁର୍ଦ୍ଦଶୀରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ ଓ ଭାରତର ପଡ଼ୋଶୀ ଦେଶ ନେପାଳ, ଭୁଟାନ ଓ ତିବ୍ବତରୁ ବହୁ ସଂଖ୍ୟାରେ ଭକ୍ତ ପହଂଚି ଝାଡ଼ ଦର୍ଶନ କରିଥିଲେ। ମହିମା ସାଧୁ ଓ ଭକ୍ତଙ୍କ ଅଲେଖ ମହିମା ଡାକରେ ଯୋରନ୍ଦା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ମହଣ ମହଣ ଘୃତାହୁତି ଯୋଗୁଁ ପବିତ୍ରମୟ ପରିବେଶ ସୃଷ୍ଟି ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ପ୍ରାତଃ ସାଢ଼େ ୩ଟା ବେଳେ ନୀତି କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଝାଡ଼ୁ ନୀତି ସଂପନ୍ନ କରାଯାଇଥିଲା। ପରେ ନୀତି କୂଅରୁ ରୁପା ଗରାରେ ପାଣି ଆଣି ଗାଦି ମନ୍ଦିରକୁ ଶୋଧନ କରାଯାଇଥିଲା । ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଛେରାପହଁରା କରିଥିଲେ । ବଳ୍କଳଧାରୀ ମହିମା ସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୂର ଦ୍ବାରା ମନ୍ଦିରରେ ସିଞ୍ଚନ କରିଥିଲେ । ପବିତ୍ରମୋହନ ବାବା, ଶୁକଦେବ ବାବା, ଭୀମସେନ ବାବା, ଅଭୟ ବାବା, ବାବୁଲୁ ବାବା, ସୁବ୍ରତ ବାବା, ନରୋତ୍ତମ ବାବା, ନଟବର ବାବା, ଚିତ୍ତ ବାବା ପ୍ରମୁଖ ଗାଦି ମନ୍ଦିର ଚତୁଃପାର୍ଶ୍ବରେ ୭ ଥର ଚାମର ସେବା କରିଥିଲେ । ପ୍ରାତଃ ୩ଟା ୪୫ରେ ମହିମାଗାଦିରେ ଉପସ୍ଥିତ ସାଧୁମାନେ ବେଢ଼ା ପରିକ୍ରମା କରିଥିଲେ ।
୪ଟା ୩୦ ମିନିଟରେ ପ୍ରଭୁ ମହିମାସ୍ବାମୀଙ୍କ ଉଦ୍ଦେଶ୍ୟରେ କ୍ଷୀର ଲାଗି କରାଯାଇଥିଲା। ବହୁ ସଂଖ୍ୟାରେ ମାନସିକଧାରୀମାନେ କେଶମୁଣ୍ଡନ କରିଥିଲେ। ସକାଳ ୯ଟାରେ ନୀତି ମନ୍ଦିରରୁ ସୁନା ଛତ୍ରି, ରୁପା ଛତ୍ରି, ତରାଶ ପ୍ରଭୃତି ଗାଦିମନ୍ଦିର ପୂର୍ବ ପାର୍ଶ୍ବରେ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ମଧ୍ୟାହ୍ନ ନୀତି ଓ ସାୟଂ ନୀତି ସଂପନ୍ନ ପରେ ୪ଟା ୫୦ ମିନିଟରେ ପଶ୍ଚିମ ପାର୍ଶ୍ବ ବୃହତ୍ ପିତଳ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ଶୁକଦେବ ବାବା ଝାଡବତିରେ ଅଗ୍ନି ସଂଯୋଗ କରିଥିଲେ। ପୂର୍ବ ଦ୍ବାରରେ ବରିଷ୍ଠ ବଳ୍କଳଧାରୀ ଅଭୟ ବାବା, ଉତ୍ତର ଦ୍ବାରରେ ଭୀମ ବାବା ଓ ଦକ୍ଷିଣ ଦ୍ବାରରେ ସତ୍ୟବ୍ରତ ବାବା ଝାଡ଼ରେ ଅଗ୍ନି ସଂଯୋଗ କରିଥିଲେ। ରାଜ ପରିବାର ପକ୍ଷରୁ ରାଜୀବ ଲୋଚନ ସିଂହଦେଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଘୃତ ପ୍ରଦାନ କରିଥିଲେ।