ବିଜେପିର ମିଶନ ଓଡିଶା ! ଭବାନୀପାଟଣା ପରେ ଖୋର୍ଦ୍ଧାରେ ୟୁପି ମୁଖ୍ୟମନ୍ତ୍ରୀ

84

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଭବାନୀପାଟଣା ପରେ ଖୋର୍ଦ୍ଧା ନାଚୁଣିରେ ସଭାରେ ଯୋଗଦେଇଛନ୍ତି । ଏଠାରେ ମଧ୍ୟ ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରସଙ୍ଗ ଉଠାଇଛନ୍ତି । ଭାରତୀୟ ସେନା ଘଟଣାର ଠିକଣା ଜବାବ ଦିଆଯିବ । ଏବଂ ଭାରତରେ ଅରାଜକତା ବ୍ୟାପୀବାକୁ ଦେବୁନି ବୋଲି ଯୋଗୀ କହିଛନ୍ତି । ସେପଟେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଆପଣଙ୍କ ସହଯୋଗ ଦରକାର ବୋଲି ମଧ୍ୟ କହିଛନ୍ତି । ଏବଂ ବିଜେପିର ମିଶନ ୧୨୦ ପୂରଣରେ ଓଡ଼ିଶାର ଭୂମିକା ରହିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଖୋର୍ଦ୍ଧା ପୂର୍ବରୁ ଭବାନୀପାଟଣାରେ ବୁଥସ୍ତରୀୟ କର୍ମୀ ସମାବେଶରେ ପାକିସ୍ତାନକୁ କଡା ତାଗିଦ କରିଛନ୍ତି ଯୋଗୀ ଆଦିତ୍ୟନାଥ । କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ । ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି କହିଛନ୍ତି ଯୋଗୀ । ପାକିସ୍ତାନ ଉପରେ ବି ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ । ସେହିଭଳି ବିଭିନ୍ନ ଯୋଜନା ବାବଦରେ ବି ନବୀନ ସରକରଙ୍କୁ ଟାର୍ଗେଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୟୁପିରେ ୨୦ ଲକ୍ଷ ଘର ତିଆରି ହୋଇଥିବାବେଳେ ଓଡିଶାରେ ବହୁତ କମ ଘର ତିଆରିହୋଇଛି । ଓଡିଶା ଯୋଜନାରେ ସ୍ଥାୟୀତ୍ୱ ନାହିଁ । ଯୋଜନା ଆସିବା ବେଳୁ ଦୁର୍ନୀତିରେ ଚାପି ହୋଇଯାଇଛି । କେନ୍ଦ୍ର ସରକାର ଚାଉଳ ପାଇଁ ଅଧିକ ଟଙ୍କା ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ବାହାବା ନେଉଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।