ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଯୋଗୀ ଆଦିତ୍ୟନାଥ : ନିର୍ବାଚନୀ ସଭାରେ କହିଲେ, ମମତା ସରକାରଙ୍କ ଅନ୍ତିମ ସମୟ ଘନେଇ ଆସୁଛି
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ମୁହାଁମୁହିଁ ହୋଇଛି ଲଢେଇ । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ଆସନ ପାଇଁ ବିଜେପି ପୁରା ଦମ୍ ଲଗାଇଦେଇଥିବା ବେଳେ ମମତା ବାନାର୍ଜି ମଧ୍ୟ ଲାଗିପଡିଛନ୍ତି ବିଜେପିକୁ ରୋକିବା ପାଇଁ । ଗତକାଲିର ହିଂସା ଓ ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସଭାସ୍ଥଳରେ ଭଙ୍ଗାରୁଜା ପରେ ବି ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭଙ୍ଗାରୁଜା ପରେ ଯୋଗୀଙ୍କ ରାଲି ବାତିଲ ହେବା ନେଇ ଖବର ଆସିଥିଲା କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଡା ନିର୍ଦ୍ଦେଶ ଥିଲା ଯେ ଯାହାବି ହେଇଯାଉ ରାଲି ବାତିଲ ହେବନାହିଁ । ପଶ୍ଚିମବଙ୍ଗ ବାରାସାତରେ ରାଲି କରି ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଗୋଟିଏ ମିଛ ଲୁଚାଇବାକୁ ଯାଇ ଅନେକ ମିଛ କହୁଛନ୍ତି । ମମତା ସରକାରଙ୍କ ଅନ୍ତିମ ସମୟ ଆସୁଛି । ମମତା ସରକାର ରାଜ୍ୟ ଦଙ୍ଗା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଟିଏମସି ସରକାରଙ୍କର ଏକ୍ସପାଏରୀ ତାରିଖ ଆସିଯାଇଥିବା ଯୋଗୀ ଆଦିତ୍ୟନାଥ କହିଛନ୍ତି ।
ସେପଟେ ଗତକାଲିର ହିଂସା ଘଟଣାକୁ ନେଇ ଟିଏମସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମବଙ୍ଗ ହାୱଡାରେ ବିକ୍ଷୋଭ ପ୍ରଦର୍ଶନ କରିଛି ତୃଣମୂଳ କଂଗ୍ରେସ । ଶହ ଶହ ଟିଏମସି ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ହିଂସା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସଡିଆଇ, ଏଆଇଏସଏଫ, ଏଆଇଏସଏ ଓ ଅନ୍ୟ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଆଜି କାଳଦିବସ ପାଳନ କରାଯାଉଛି । ସିପିଆଇଏମର ବରିଷ୍ଠ ନେତା ସୀତାରାମ ୟେଚୁରୀ ଓ ପ୍ରକାଶ କରାଟ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । କୋଲକାତା ବିଶ୍ୱବିଦ୍ୟାଳୟ ପରିସରରେ ଏହି ବିକ୍ଷୋଭ ସଭା ଆୟୋଜନ କରାଯାଇଥିଲା ।