ଜେଏନୟୁ ହିଂସା ନେଇ ସକ୍ରିୟ ହେଲା ଦିଲ୍ଲୀ ପୋଲିସ୍ : ଅଭିଯୁକ୍ତଙ୍କ ବିରୋଧରେ ଖୋଳତାଡ଼ ଆରମ୍ଭ

142

କନକ ବ୍ୟୁରୋ : ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ ପରେ ସକ୍ରିୟ ହେଲା ପୋଲିସ୍ । ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଘଟଣାକୁ ନେଇ ପୋଲିସ ନିକଟରେ ତିନିଟି ଏତଲା ଦିଆଯାଇଛି । ପୋଲିସ୍ ସୂତ୍ର ଅନୁସାରେ ଜେଏନୟୁ ଆକ୍ରମଣ ମାମଲାରେ ଅନେକ ଅଭିଯୋଗ ଆସୁଛି । ଅଭିଯୋଗ ଆଧାରରେ ଯାଂଚ ଆରମ୍ଭ ହେବ ବୋଲି କୁହାଯାଇଛି । ଜେଏନୟୁ ହିଂସା ନେଇ କେନ୍ଦ୍ର ସରକାର ମଧ୍ୟ ସକ୍ରିୟ ହୋଇଯାଇଛନ୍ତି । ଶିକ୍ଷା ମନ୍ତ୍ରାଳୟ ତରଫରୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର, ପ୍ରକ୍ଟର ଓ ରିକ୍ଟରଙ୍କୁ ନୋଟିସ ଜାରି କରି ଘଟଣାର ତଦନ୍ତ ରିପୋର୍ଟ ମଗାଯାଇଛି ।

ସେପଟେ ଦିଲ୍ଲୀର ଜେଏନୟୁ ହଷ୍ଟେଲ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ତେଜିଲାଣି ବିରୋଧ । ଦେଶର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ଛାତ୍ରଛାତ୍ରୀଙ୍କ ବିରୋଧର ଚିତ୍ର । ମୁମ୍ୱାଇରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଏକାଠି ହୋଇ ଏପରି ଆକ୍ରମଣକୁ ପ୍ରତିବାଦ କରିଛନ୍ତି । ସେହିପରି ତାଜହୋଟଲ ଆଗରେ ମଧ୍ୟ ଛାତ୍ରଛାତ୍ରୀ କରିଛନ୍ତି ପ୍ରତିବାଦ । ସମାନ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ପୁନେରେ । ଦିଲ୍ଲୀ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ମୁଖାପିନ୍ଧା ଦୁର୍ବୃତଙ୍କ ଆକ୍ରମଣକୁ ବିରୋଧ କରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସମାନ ବିରୋଧ ଦେଖିବାକୁ ମିଳିଛି ।