ଜେଏନୟୁ ହିଂସାକାଣ୍ଡର ନୂଆ ଖିଅ! ଦୁର୍ବୃତ୍ତ ବ୍ୟବହାର କରିଥିଲେ କୋଡୱାର୍ଡ

306

କନକ ବ୍ୟୁରୋ : ଜେଏନୟୁ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ । ହିଂସାକାଣ୍ଡ ଘଟଣାରେ ବ୍ୟବହାର ହୋଇଥିଲା କୋଡ୍ ୱାର୍ଡ । ହିଂସାକାଣ୍ଡ ହେବା ଆଗରୁ ମୁଖାପିନ୍ଧା ଦୁର୍ବୃତ୍ତ ମାନେ ପରଷ୍ପର ମଧ୍ୟରେ କୋଡ୍ ୱାର୍ଡରେ କଥାବାର୍ତ୍ତା କରୁଥିଲେ । ଏବେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଗତକାଲି ଠାରୁ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ । ସେପଟେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖାଲି ଭାରତ କାହିଁକି, ଲଣ୍ଡନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟରେ ହିଂସାକାଣ୍ଡ ବିରୋଧରେ ବାହାରିଛି ଶୋଭାଯାତ୍ରା । ଜେଏନୟୁରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିଂସାକାଣ୍ଡ ପାଇଁ ଜେଏନୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରପ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି । ତେବେ ପୋଲିସର କହିବା ହେଲା, ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ।ସେପଟେ ଗତକାଲି ରାତିରେ ଇଣ୍ଡିଆନ ୟୁଥ କଂଗ୍ରେସ ପକ୍ଷରୁ ଟର୍ଚ୍ଚଲାଇଟ ମାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଭାଗ ନେଇଥିଲେ । ଦିଲ୍ଲୀ କଂଗ୍ରେସ ସଭାପତି ସୁବାସ ଚୋପ୍ରା କହିଛନ୍ତି, ଏହି ଆକ୍ରମଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଦରକାର । ହିଂସାକାଣ୍ଡକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବଲିଉଡ । ଅନୁରାଗ କସ୍ୟପ, ଅନୁଭବ ସିହ୍ନା, ତାପସି ପନୁ, ଜୋୟା ଅଖତର, ଦିୟା ମିର୍ଜା, ରାହୁଲ ବୋଷ ପ୍ରମୁଖ କାର୍ଟର ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ ତୃଣମୂଳ କଂଗ୍ରେସର କିଛି ସାଂସଦ ଜେଏନୟୁ ଆସିଥିଲେ ମଧ୍ୟ ସେମାନଙ୍କୁ ଭିତରେ ପ୍ରବେଶ ଅନୁମତି ମିଳିନଥିଲା ।

ଏପଟେ ଜେଏନୟୁ ହିଂସାକାଣ୍ଡକୁ ବିରୋଧ କରି ପ୍ରତିବାଦ ଚାଲିଥିବା ବେଳେ ମୁମ୍ବାଇର ଗେଟ ୱେ ଇଣ୍ଡିଆ ନିକଟରେ ଏକ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ପୋଷ୍ଟରରେ ଲେଖାଅଛି ଫ୍ରି କାଶ୍ମୀର । ଜଣେ ଝିଅ ଏହାକୁ ଧରି ପ୍ରତିବାଦ କରୁଛନ୍ତି । ତେବେ ଫ୍ରି କାଶ୍ମୀର ସହିତ ଜେଏନୟୁ ହିଂସାକାଣ୍ଡ ର ସମ୍ପର୍କ କଣ ରହିଛି ବୋଲି ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାର ପ୍ରଶ୍ନ ଉଠାଇଛନ୍ତି । ଜେଏନୟୁ ହିଂସାକାଣ୍ଡକୁ ବିରୋଧ କରାଯାଉଥିବା କାଶ୍ମୀର ପ୍ରସଙ୍ଗ କୁଆଡୁ ଆସିଲା ବୋଲି ଅନେକ ପଚାରିଛନ୍ତି । ଭେଟେରାନ ଅଭିନେତା ଅନୁପମ ଖେର ମଧ୍ୟ ଟୁଇଟ କରି ଏହି ପ୍ରସଙ୍ଗ ଉଠାଇଛନ୍ତି ।