ଜେଏନୟୁରେ ଆକ୍ରମଣକୁ ନେଇ ତୀବ୍ର ହେଉଛି ରାଜନୀତି : କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି, ଫାଶୀବାଦ ନିୟନ୍ତ୍ରଣକୁ ଚାଲିଯାଇଛି ଦେଶ

291

କନକ ବ୍ୟୁରୋ : ଦିଲ୍ଲୀ ଜବାହାର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ରକ୍ତପାତ । ଅଭିଯୋଗ ଅନୁସାରେ ଏବିଭିପିର ଅନେକ ଛାତ୍ର ସଂଘବନ୍ଧ ଭାବରେ ବିଶ୍ୱବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀଙ୍କୁୁ ଆକ୍ରମଣ କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ ସନ୍ଧ୍ୟାରେ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ ଜେଏନୟୁ କ୍ୟାମ୍ପସରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆହତ ହୋଇଛନ୍ତି । ହାତରେ ରଡ ଏବଂ ବାଡି ଧରିଥିବା ଏହି ଦୃବୃର୍ତମାନେ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍ସରେ ଭର୍ତି କରାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଛାତ୍ର ସଂସଦ ସଭାପତି ଐଶୀ ଘୋଷ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ପରିସ୍ଥିତିର ମୁକାବିଲା କରିବା ଲାଗି କ୍ୟାମ୍ପସ ଭିତରେ ଏବଂ ବାହାରେ ପୋଲିସ ମୁତୟନ ହୋଇଛି ।

ଏପଟେ ଘଟଣାକୁ ନେଇ ରାଜନୀତି ବି ତୀବ୍ର ହେବାରେ ଲାଗିଛି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କହିଛନ୍ତି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି କରିବ । ଏନେଇ ସେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି । ତୁରନ୍ତ ପୁଲିସ ପ୍ରଶାସନକୁ ସକ୍ରିୟ କରିବା ସହ ଶାନ୍ତି ଫେରାଇ ଆଣିବାକୁ ଉପ-ରାଜ୍ୟପାଳଙ୍କୁ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏପଟେ ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଫାଶୀବାଦୀଙ୍କ ନିୟନ୍ତ୍ରଣକୁ ଦେଶ ଚାଲି ଯାଇଛି ଏବଂ ସାହାସୀ ଛାତ୍ରଛାତ୍ରୀମାନେ ଏହି ଫାଶୀବାଦୀଙ୍କୁ ସାହାସିକତାର ସହ ମୁକାବିଲା କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟାର ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପଟେ ଏମ୍ସ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଗାନ୍ଧୀ ।