ଜେଏନୟୁ ହିଂସାକାଣ୍ଡର ୨ ଦିନ ପରେ ବି ଖୋଲାରେ ବିଚରଣ କରୁଛନ୍ତି ମୁଖାଧାରୀ ଦୁର୍ବୃତ୍ତ : ନା କୌଣସି ଆକ୍ସନ, ନା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ 

132

କନକ ବ୍ୟୁରୋ : ଜେଏନୟୁ ହିଂସାକାଣ୍ଡହ ୪୦ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ହାତ ବାନ୍ଧି ବସିଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିପାରିନି ପୋଲିସ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନ । ରାଜଧାନୀ ଦିଲ୍ଲୀର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜେଏନୟୁ ହିଂସାକାଣ୍ଡକୁ ୨ଦିନ ବିତି ଯାଇଥିଲେ ହେଁ ପୋଲିସ ଆଖିଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ସୋସିଆଲ ମିଡିଆରେ ହିଂସାକାଣ୍ଡର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତଥାପି କୌଣସି ଆକ୍ସନ ନେଇନାହିଁ । ପୋଲିସ ଗତକାଲି ଠାରୁ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ ।

ସେପଟେ ଜେଏନୟୁ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ । ହିଂସାକାଣ୍ଡ ଘଟଣାରେ ବ୍ୟବହାର ହୋଇଥିଲା କୋଡ୍ ୱାର୍ଡ । ହିଂସାକାଣ୍ଡ ହେବା ଆଗରୁ ମୁଖାପିନ୍ଧା ଦୁର୍ବୃତ୍ତମାନେ ପରଷ୍ପର ମଧ୍ୟରେ କୋଡ୍ ୱାର୍ଡରେ କଥାବାର୍ତ୍ତା କରୁଥିଲେ । ଏବେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସୁଛି । ଅନ୍ୟପଟେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖାଲି ଭାରତ କାହିଁକି, ଲଣ୍ଡନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟରେ ହିଂସାକାଣ୍ଡ ବିରୋଧରେ ବାହାରିଛି ଶୋଭାଯାତ୍ରା । ଜେଏନୟୁରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିଂସାକାଣ୍ଡ ପାଇଁ ଜେଏନୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରପ କରୁଥିବା ବେଳେ ବର୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି । ତେବେ ପୋଲିସର କହିବା ହେଲା, ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ।