ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ : ବିପୁଳ ପରିମାଣର ବିସ୍ପୋରକ ଥିବା ଏକ କାରକୁ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିକାରୀ ଦଳ

490

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ପୁଲୱାମାରେ ଏହି ବଡ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା ହୋଇଥିବା ସୂଚନା ଦେଇଛନ୍ତି ଜାମ୍ମୁକାଶ୍ମୀର ପୋଲିସ ଆଇଜି ବିଜୟ କୁମାର । ବିପୁଳ ପରିମାଣର ବିସ୍ଫୋରକ ଥିବା ଏକ ସେଂଟ୍ରୋ କାରକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ଏହି ଆକ୍ରମଣ ଜରିଆରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା ହୋଇଥିବା ପୋଲିସ ଆଇଜି କହିଛନ୍ତି । ଗତ ଏକ ସପ୍ତାହ ଧରି ସୂଚନା ଥିଲା ଯେ, ଜୈଶ ଏ ମୋହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା କରିଥିଲେ । ଏହି ସୂଚନା ମିଳିବା ପରେ ଛାନଭିନକୁ ଜୋରଦାର କରାଯାଇଥିଲା ।

ଏକ କାରରେ ବିପୁଳ ପରିମାଣର ବିସ୍ଫୋରକ ନେଇ ଆତଙ୍କବାଦୀ ମାନେ ଯାଉଥିବା ଖବର ମିଳିବା ପରେ ସେନା ଓ ସିଆରପିଏଫ ସହାୟତାରେ ପୋଲିସ ଏହି ଗାଡିକୁ ପିଛା କରିବା ସହ ଆକ୍ରମଣ କରିଥିଲେ ସୁଦ୍ଧା ଗାଡିକୁ ଅଟକା ଯାଇନଥିଲା । ଆତଙ୍କବାଦୀମାନେ ଗାଡି ଛାଡି ପଳାଇବା ପରେ ସେନା ତାର ଯାଂଚ କରିଥିଲା । ଏବଂ ଏଥିରେ ବିପୁଳ ପରିମାଣର ବିସ୍ଫୋରକ ମିଳିବା ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ନିଷ୍କ୍ରିୟ କରିଥିଲେ । ଏଥିରେ ୪୦ରୁ ୫୦କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଥିବା ସୂଚନା ମିଳିଛି । ଏହାକୁ ନିଷ୍କ୍ରିୟ କରିବା ବେଳେ ଏତେ ବଡ ବିସ୍ଫୋରଣ ହୋଇଥିଲା ଯେ ୫୦ଫୁଟ ପର୍ଯ୍ୟନ୍ତ ଧୂଆ ଉଠିଥିଲା । ଏହା ପୂର୍ବରୁ ସ୍ଥାନୀୟ ଅଂଚଳକୁ ଖାଲି କରାଇ ଦିଆଯାଇଥିଲା ।