ପୁଅର ମୃତ୍ୟୁ ପରେ ଛାରଖାର ହୋଇଗଲା ପରିବାର : ଝାରୁସୁଗୁଡାରେ ବିଷ ପିଇଥିବା ପରିବାରର ଆଉ ଦୁଇଜଣଙ୍କ ମୃତ୍ୟୁ,ଆଖିବୁଜିଲେ ମା ଓ ଝିଅ, ମଙ୍ଗଳବାର ଗୋଟିଏ ପରିବାରର ୫ ଜଣ ପିଇଦେଇଥିଲେ ବିଷ

1,188

କନକ ବ୍ୟୁରୋ : ପୁଅର ମୃତ୍ୟୁ ପରେ ଛାରଖାର ହୋଇଯାଇଛି ପରିବାର । ଝାରସୁଗୁଡା ଲହଣ୍ଡାବୁଡରେ ପୁଅର ମୃତ୍ୟୁ ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ୫ ଜଣ ସଦସ୍ୟ । ବୁର୍ଲା ମେଡିକାଲରେ ଗତରାତିରେ ଜଣେ ଝିଅ ଓ ଆଜି ସକାଳ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଛି । ସେହିପରି ଗତକାଲି ପୁଅର ମୃତ୍ୟୁ ହୋଇଥିଲା । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ୫ ଜଣଙ୍କ ମଧ୍ୟରୁ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦୁଇ ଭଉଣୀ ଗୁରୁତର ଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି । ଅସୁସ୍ଥ ଭାଇର ମୃତ୍ୟୁ ପରେ ମଙ୍ଗଳବାର ଲହଣ୍ଡାବୁଡର ଗୋଟିଏ ପରିବାରର ମା, ଜଣେ ଭାଇ ଓ ୩ ଜଣ ଉଭଣୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଗତକାଲି ଶ୍ରୀକାନ୍ତ ବିଶ୍ୱାଳଙ୍କର ବି ମୃତ୍ୟୁ ଘଟିଥିଲା। ସେ ପରିବାରର ବଡ଼ ଭାଇ ବୋଲି ଜଣାପଡ଼ିଛି | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ ।
ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ । ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ | ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ । ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ । ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ ।