ବିରଳ ପ୍ରତିଭାର ଅଧିକାରୀ ଦିପ୍ତୀ ଶର୍ମା : ଆଖିରେ ପଟି ବାନ୍ଧି ଇଂରାଜୀର ସମସ୍ତ ଆଲଫାବେଟ୍ ଅତି ସହଜରେ ଟାଇପ୍ କରିପାରୁଛନ୍ତି ଝାରସୁଗୁଡ଼ାର କୁନି ଝିଅ

384

କନକ ବ୍ୟୁରୋ : କଠିନ୍ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସବୁ କିଛି ସମ୍ଭବ । ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ଆଉ ଏପରି ପ୍ରମାଣିତ କରିଛନ୍ତି ବିରଳ ପ୍ରତିଭାର ଅଧିକାରୀ ତଥା ବିସ୍ମୟ ବାଳିକା କୁନି ଦିପ୍ତୀ । ବୟସ ସିନା କମ୍ ହେଲେ କୁନି କୁନି ହାତରେ ଆଖିରେ ପଟି ବାନ୍ଧି ଟାଇପ୍ କରିବାରେ ସେ ସିଦ୍ଧହସ୍ତ । ଆତ୍ମଚେଷ୍ଟା ଓ ଅଧ୍ୟବସାୟ ବଳରେ ଏପରି ନିଜକୁ ନିଆରା କରିପାରିଛନ୍ତି ଝାରସୁଗୁଡ଼ାର ଏହି କୁନା ବାଳିକା । ଆଖିରେ ପଟି ବାନ୍ଧି ଇଂରାଜୀର ସମସ୍ତ ଆଲଫାବେଟ୍ ଲେଖିପାରୁଛନ୍ତି । ଆଉ ଏଥିପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି ।

ଝାରସୁଗୁଡ଼ାର ଦିପ୍ତୀ ଶର୍ମା । ଝାରସୁଗୁଡ଼ାର ମାଇ କିଡ୍ସ ସ୍କୁଲରେ ପାଠ ପଢ଼ନ୍ତି । ଦିପ୍ତୀଙ୍କ ପ୍ରକୃତ ଘର ରାଜସ୍ଥାନରେ । ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଏହି କୁନି ଝିଅର ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟିବାନ୍ଧି ଇଂରାଜୀ ଆଲଫାବେଟର ଏ ରୁ ଜେଡ଼୍ ପର୍ଯ୍ୟନ୍ତ ସମସ୍ତ ଆଲଫାବେଟ୍ ଟାଇପ୍ କରିପାରୁଛନ୍ତି । କେବଳ ଇଂରାଜୀ ଆଲଫାବେଟ୍ ନୁହଁ ଆଖିରେ ପଟି ବାନ୍ଧି କମ୍ପ୍ୟୁଟରରେ ଟାଇପ୍ କରିବା ଠାରୁ ଆରମ୍ଭ କରି ବିଦ୍ୟାଳୟର ବିଭିନ୍ନ ଟାସ୍କ ମଧ୍ୟ କରିପାରୁଛନ୍ତି ।  ଦିପ୍ତୀ ଏଥିପାଇଁ କୌଣସି ବିଧିବଦ୍ଧ ତାଲିମ ନେଇନାହାନ୍ତି । ତେବେ ଏସବୁ ତାଙ୍କ ପାଇଁ ଏତେ ସଜହ ନଥିଲା । କଷ୍ଟ ନକଲେ କୃଷ୍ଣ ମିଳେ ନାହିଁ । ପ୍ରାୟ ବର୍ଷେ ପର୍ଯ୍ୟନ୍ତ ନିରନ୍ତର ପ୍ରୟାସ କରିବା ପରେ ଆଜି ଏପରି ବିରଳ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ଦିପ୍ତୀ । ବାପାମା’ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ପାଇ ଏପରି ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଗତ ଅଗଷ୍ଟ ମାସରେ ମାତ୍ର ୩.୫୪ ସେକେଣ୍ଡରେ ଇଂରାଜୀ ଆଲଫାବେଟ୍ ଟାଇପ୍ କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ତେବେ ଆଗକୁ ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ସେ ପରିଶ୍ରମ ଜାରି ରଖିଛନ୍ତି । ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ ଏବଂ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଦିପ୍ତୀ ଶର୍ମା । ତେବେ କେବଳ ଦିପ୍ତୀ ନୁହଁନ୍ତି ଆଖିରେ ପଟି ବାନ୍ଧି ଝାରସୁଗୁଡ଼ା ମାଇ କିଡ଼୍ସ ସ୍କୁଲର ପ୍ରାୟ ୨୨ରୁ ଉର୍ଦ୍ଧ୍ୱର୍ ଛାତ୍ରୀ କମ୍ପ୍ୟୁଟରରରେ ଟାଇପ୍ କରିପାରୁଛନ୍ତି । ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ ଏବଂ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଦିପ୍ତୀ ଶର୍ମା ।