ଖାପ୍ ପଞ୍ଚାୟତରେ ତାଲିବାନୀ ଫରମାନ୍ : ଭିନ୍ନ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ଗୋବର ଖାଇବାକୁ ନିର୍ଦ୍ଦେଶ, ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ୍

272

କନକ ବ୍ୟୁରୋ : ଖାପ୍ ପଞ୍ଚାୟତରେ ତାଲିବାନୀ ଶାସନ । ଉତ୍ତରପ୍ରଦେଶରେ ଖାପ୍ ପଞ୍ଚାୟତରେ ଅଜବ ନିଷ୍ପତ୍ତି । ଏକ ବିଂଶ ଶତାଦ୍ଦୀରେ ପ୍ରେମବିବାହକୁ ନେଇ ତାଲିବାନୀ ଫରମାନ୍ । ଭିନ୍ନ ଜାତିର ଯୁବତୀଙ୍କୁ ବିବାହ କରିବାରୁ ସାମଜିକ ବାସନ୍ଦ । ବୁନ୍ଦେଲଖଣ୍ଡରେ ନବ ଦମ୍ପତ୍ତିଙ୍କୁ ଗୋବର ଖାଇବା ସହ ଗୋମୂତ୍ର ପିଇବାକୁ ନିର୍ଦ୍ଦେଶ । ପାଞ୍ଚ ବର୍ଷ ପୂର୍ବରୁ ବିବାହ କରିଥିଲେ ପ୍ରେମୀଯୁଗଳ । ସାମାଜିକ ବାସନ୍ଦ ହଟାଇବାକୁ ହେଲେ ଏହି ନିର୍ଦ୍ଦେଶ ମାନିବାକୁ ପଡ଼ିବ ବୋଲି ରୋକଠୋକ ନିଷ୍ପତ୍ତି ଶୁଣାଇଲା ଖାପ୍ ପଞ୍ଚାୟତ । ତେବେ ସୌଭାଗ୍ୟବଶତଃ ସମୟ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ପୋଲିସ୍ ।

ନା ସୁପ୍ରିମକୋର୍ଟକୁ ଡର । ନା ଅଛି ଆଇନ୍ କାନୁନକୁ ଡର । ଖାପ୍ ପଞ୍ଚାୟତ ନିଷ୍ପତ୍ତି ମାନିବାକୁ ବାଧ୍ୟ । ସର୍ତ୍ତ ନମାନିଲେ ଜାରି ରହିବ ସାମାଜିକ ବାସନ୍ଦ । ବୁନ୍ଦେଲଖଣ୍ଡ ଝାନ୍ସିରୁୁ ଏପରି ମାମଲା ଆସିଛି । ଖାପ ପଞ୍ଚାୟତରେ ଦମ୍ପତିଙ୍କୁ ଗୋମୂତ୍ର ପିଇବା ପାଇଁ ଗୋବର ଖାଇବା ପାଇଁ ସର୍ତ୍ତ ରଖାଯାଇଛି । ଏହାସହ ଦମ୍ପତିଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ କରାଯାଇଥିଲା ।

ଝାନ୍ସି ସହରର ହଂନସାରୀ ଗ୍ୱାଲଟୋଲି ନିବାସୀ ଭୂପେଶ ପଲ ୩୦ ଜୁନ ୨୦୧୫ରେ ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟ ପରିବାରର ସହମତି କ୍ରମେ ହୋଇଥିଲା ବିବାହ । ଏହି ବିବାହରେ ଉଭୟ ପରିବାରର ସଦସ୍ୟ ଉପସ୍ଥିତ ଥିଲେ । ତେବେ ଭିନ୍ନ ଜାତିରେ ବିବାହ କରିଥିବାରୁ ଭୂପେଶଙ୍କ ପରିବାରକୁ ସାମଜିକ ବହିଷ୍କାର କରାଯାଇଥିଲା । ନିଆଁ, ପାଣି ସବୁ ବନ୍ଦ କରି ଦିଆଯାଇଥିଲା ।

କିଛି ଦିନ ପୂର୍ବରୁ ଭୂପେଶଙ୍କ ପରିବାରକୁ ସମାଜରେ ସାମିଲ କରିବା ପାଇଁ ଡକାଯାଇଥିଲା ଖାପ ପଞ୍ଚାୟତ । ସାମାଜିକ ବାସନ୍ଦ ହଟାଇବା ବାହାନାରେ ଅଜବ ନିଷ୍ପତ୍ତି ଶୁଣାଥିଲେ ଖାପ ପଞ୍ଚାୟତର ନେତୃବୃନ୍ଦ । ତେବେ ଏପରି ନିଷ୍ପତ୍ତି ଶୁଣିବା ପରେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ଦମ୍ପତ୍ତି ।

ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ବାସନ୍ଦ ହୋଇଥିବା ଦମ୍ପତ୍ତିଙ୍କ ଘରେ ପହଞ୍ଚିଥିଲେ ସିଟି ମାଜିଷ୍ଟ୍ରେଟ୍ । ଭିନ୍ନ ଜାତିରେ ବିବାହକୁ ନେଇ ସୁପ୍ରମକୋର୍ଟଙ୍କ ଆଇନ୍ ସମ୍ମନ୍ଧରେ ସମସ୍ତଙ୍କୁ ବୁଝାଇଥିଲେ । ଦମ୍ପତିଙ୍କୁ ସାମାଜିକ ବାସନ୍ଦ କଲେ କିମ୍ବା ନିର୍ଯାତନା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଖାପ୍ ପଞ୍ଚାୟତରେ ଏପରି ନିଷ୍ପତ୍ତି ଶୁଣାଇଥିବା ୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଡିଏମଙ୍କ ସୂଚନା ଅନୁସାରେ ଏବେ ଦମ୍ପତ୍ତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ।