ପୁରୀ : ସମୁଦ୍ରରେ ଜୀବନ ରକ୍ଷକ ଜେଟସ୍କି, ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ହେଲା ବ୍ୟବସ୍ଥା

58

କନକ ବ୍ୟୁରୋ : ପୁରୀ ସମୁଦ୍ରରେ ପହଞ୍ଚିଲା ଜୀବନ ରକ୍ଷକ ଜେଟ୍‌ସ୍କି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ସ୍ନାନ ବେଳେ ମୃତାହତଙ୍କ ସଂଖ୍ୟା ଉଦ୍‌ବେଗଜନକ ହେବାରୁ ଅଗ୍ନିଶମ ସେବା ସଂସ୍ଥା ଏହି ବ୍ୟବସ୍ଥା କରିଛି । ଆଜି ଠାରୁ ଏହା ପୁରୀ ସମୁଦ୍ରରେ କାମ କରିବା ଆରମ୍ଭ କରିଛି। ସମୁଦ୍ର ପାଣିରେ ଏହା ସବୁବେଳେ ପ୍ରସ୍ତୁତ ହୋଇ ରହିବ । ସ୍ନାନ ବେଳେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଏହି ଜେଟସ୍କି ତତକ୍ଷଣାତ୍‌ ପାଣିରୁ ଉଠାଇ ଆଣି ହେବ । ଫଳରେ ସମୁଦ୍ର ସ୍ନାନ ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ସୂଚନା ଦେଇଛନ୍ତି ।

ବୁଧବାର ଏଠାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଲୋକାର୍ପଣ କରି ଶ୍ରୀ ବେହେରା କହିଛନ୍ତି ଯେ ଏବେ ଏହି ଗୋଟିଏ ଜେଟ୍‌ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଗୋଟିଏ ଆସିବାର ଯୋଜନା ରହିଛି । ଏହି ମେସିନ୍‌ର ବଜାର ଦର ୧୯ ଲକ୍ଷ ଟଙ୍କା ରହିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ପର୍ଯ୍ୟଟକମାନେ ଏହାକୁ ସ୍ୱାଗତ କରିଛନ୍ତି । କିନ୍ତୁ ସୁଦୀର୍ଘ ସ୍ନାନ ଅଞ୍ଚଳ ପାଇଁ ଗୋଟିଏ ଜେଟ୍‌ସ୍କି ଯଥେଷ୍ଟ ହେବ ନାହିଁ ବୋଲି ମତପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଆଇଜି ଡା. ସନ୍ତୋଷ ବାଲା, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ବ୍ରଜେନ୍ଦୁ ଭୁଷଣ ଦାସ, ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ ଏବଂ ଡେପୁଟି ଉପ-ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ସୂଚାନାଯୋଗ୍ୟ ପୁରୀ ସମୁଦ୍ରରେ ସ୍ନାନ ବେଳେ ଦୁର୍ଘଟଣା ସ୍ଥିତି ଉଦ୍‌ବେଗଜନକ ରହିଛି । ୨୦୧୭ରେ ଏ ପର୍ଯ୍ୟନ୍ତ ସମୁଦ୍ରରେ ସ୍ନାନ ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତ୍ୟେକ ବର୍ଷ ଡକରା, ଉଦ୍ଧାର ଓ ମୃତ୍ୟୁସଂଖ୍ୟା ଉଦ୍‌ବେଗ ଜନକ ଭାବରେ ବଢ଼ି ବଢ଼ି ଚାଲିଛି । ଏହି ଜେଟସ୍କିଟି ସମୁଦ୍ରଜଳରେ ଭାସି ସ୍ନାନରତ ପର୍ଯ୍ୟଟକମାନଙ୍କ ଉପରେ କଡ଼ା ନଜର ରଖିବ । ଯଦି ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୁଏ ତେବେ ଝପଟି ଯାଇ ଉଦ୍ଧାର କରିବ ।