ଜର୍ମାନୀ ଯୁବତୀ ବଳାତ୍କାର ମାମଲାରେ ବିତିହୋତ୍ରଙ୍କୁ ଜାମିନ ! ପ୍ରତିମାସ ଥାନାରେ ପକାଇବେ ହାଜିରା, ଜମା କରିବେ ପାସପୋର୍ଟ

33

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଜର୍ମାନ ଝିଅ ବଳାତ୍କାର ମାମଲାରେ ସଜା କାଟୁଥିବା ପୂର୍ବତନ ଡିଜି ବିଦ୍ୟାଭୁଷଣ ମହାନ୍ତିଙ୍କ ପୁଅ ବିତିହୋତ୍ର ମହାନ୍ତିଙ୍କୁ ମିଳିଲା ଜାମିନ୍ । ଅଢ଼େଇ ଲକ୍ଷର ବ୍ୟକ୍ତିଗତ ମୁଚାଲିକା ଏବଂ ମାସର ପ୍ରଥମ ସପ୍ତାହରେ ଥାନାରେ ହାଜିରା ନିର୍ଦ୍ଦେଶ ଦେବା ସହ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ସେହିପରି ପାସସ୍ପୋର୍ଟ ଜମା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ ୨୦୦୬, ଅର୍ଥାତ୍ ଠିକ୍ ୧୧ ବର୍ଷ ତଳେ ଜର୍ମାନର ଜଣେ ଏମ୍ବିଏ ଛାତ୍ରୀଙ୍କୁ ବିତିହୋତ୍ର ମହାନ୍ତି ହୋଟେଲ ରୁମରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଫାଷ୍ଟଟ୍ରାକ କୋର୍ଟରେ ହେଲା ଫଇସଲା । ମାତ୍ର ୩ ଦିନରେ ଚାର୍ଚ୍ଚସିଟ୍ ଆଉ ୧୩ ଦିନରେ ରାୟ । ୭ ବର୍ଷ ପାଇଁ ହେଲା ଜେଲ୍ ବିତିହୋତ୍ରଙ୍କୁ । ତେବେ ଅପରାଧ କାହାଣୀଟି ଏତିକିରେ ସରିନଥିଲା ।

ପୁରା ଟିଭି ସିରିଏଲର କାହାଣୀ ଭଳି ଆଗକୁ ଗତିଶୀଳ ହୋଇଥିଲା ବିତିହୋତ୍ର ମହାନ୍ତିଙ୍କ  ବଳାତ୍କାରର କାହାଣୀ । ଜେଲରୁ ପାରୋଲରେ ଆସି ଫେରାର୍ ହୋଇଗଲେ ବିତିହୋତ୍ର । କାଠଗଡ଼ାକୁ ବାପା ବିଦ୍ୟାଭୂଷଣଙ୍କୁ ବି ଟଣାଗଲା । ଏହି କାହାଣୀର ମଧ୍ୟାନ୍ତର ଆରମ୍ଭ ହୋଇଥିଲା ୨୦୧୩ ମସିହାରେ । ଯେତେବେଳେ କେରଳରୁ ପୁଣି ଗିରଫ ହୋଇଥିଲେ ବିତିହୋତ୍ର । ବିତିହୋତ୍ର ମହାନ୍ତି ପାଲଟି ଯାଇଥିଲେ ରାଘବ ରାଜନ ।

ଏକ ନୂଆ ପରିଚୟ ଦେଇ ଏସ୍ବିଟିରେ ପିଓ ଭାବରେ କାର୍ଯ୍ୟ କରୁଥିଲେ ବିତିହୋତ୍ର । ନା’ ସିନା ବଦଳି ଗଲା, ହେଲେ ଚେହେରା କ’ଣ ବଦଳି ପାରିଥିଲା ? । ଆଉ ସେଇ ଚେହେରା ହିଁ ଧୋକା ଦେଇଦେଲା । ଆଉ ଯେତେବେଳେ ଆଜି ସୁପ୍ରିମକୋର୍ଟରୁ ତାଙ୍କୁ ବେଲ୍ ମିଳିଛି । ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି-ବିଦ୍ୟାଭୁଷଣ ମହାନ୍ତି ।

କହିଛନ୍ତି-ତରବରିଆ ଭାବେ ଦୋଷୀ ଚିତ୍ରଣ କରି ଦଣ୍ଡ ଦିଆଗଲା । ଆଉ ଏହାରି ଭିତରେ ପୁଅର ପ୍ରେମକୁ ନେଇ ବାପାର ବିଶ୍ୱାସ ସମସ୍ତଙ୍କୁ ଚକିତ କଲା ଭଳି । ବିଦ୍ୟାଭୂଷଣ ଦାବି କରୁଛନ୍ତି ବିତିହୋତ୍ର ଏଣିକି ଆଧ୍ୟାତ୍ମିକ ଭାବଧାରାରେ ପ୍ରଭାବିତ ହୋଇଛନ୍ତି, ଆଉ ଯାହା ତାଙ୍କୁ ପୁରାପୁରି ବଦଳାଇ ଦେଇଛି ।