ଅଡୁଆରେ ପକାଇଲେ ଜୟନାରାୟଣ : ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ବିଜେଡି-ବିଜେପି ବୁଝାମଣାକୁ ମାରିଲେ ତେରଛା ବାଣ

198

କନକ  ବ୍ୟୁରୋ : ରାଜ୍ୟ ବିଜେପିରେ ଫାଟ ଜଳଜଳ ହୋଇ ଦେଖାଗଲାଣି । ଭୟଙ୍କର ରୂପ ନେଲାଣି ବିଜେପି ନେତାଙ୍କ ବିବାଦ । ବିରୋଧୀ ଦଳ ନେତା ପଦ ନମିଳିବା ସହ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କେନ୍ଦ୍ରୀୟ ନେତୃତ୍ୱକୁ ନେଇ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି । ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗରେ ତାଙ୍କ ବିରୋଧରେ ଷଡଯନ୍ତ୍ର  ହୋଇଥିବା କଥା ସଙ୍କେତ ଦେବାକୁ ଭୁଲିନାହାନ୍ତି । ତେବେ ତାଙ୍କ ବିରୋଧରେ ଷଡଯନ୍ତ୍ର କିଏ କରିଛି ସେ କଥା ଖୋଲାଖୋଲି କହିନାହାନ୍ତି।  ବିଜେଡ଼ି ଓ ବିଜେପି ଶିବିରରେ ଗୁମୁରୁଥିବା ଅକୁହା ଅସନ୍ତୋଷକୁ ଉଖାରିଛନ୍ତି ଜୟନାରାୟଣ । ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ କେଉଁ ସ୍ୱାର୍ଥରେ ବିଜେଡ଼ି ସମର୍ଥନ କଲା ? ବିଜେଡ଼ି-ବିଜେପି ମଧ୍ୟରେ ହୋଇଥିବାର ବୁଝାମଣାର ସମସ୍ତ ଗୁପ୍ତ ଡିଲ ବାହାରକୁ ଆସୁ ବୋଲି କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି ।

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ କିପରି ମିଳିଲା ? ରାଜ୍ୟସଭା ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ବିଜେଡ଼ିକୁ ବିବାଦକୁ ଟାଣିଛନ୍ତି ଜୟନାରାୟରଣ ମିଶ୍ର । ବିଜେଡ଼ି ସ୍ୱାର୍ଥସାଧନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ଆଜି ପର୍ଯ୍ୟନ୍ତ ଗାଳି ଦେଉଥିଲେ ହେଲେ ହଠାତ୍ ବିଜେଡ଼ିର ଫୁଲମାନ ପିନ୍ଧାଇବା କଥା ସ୍ପଷ୍ଟ ବୁଝାପଡ଼ୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡ଼ି-ବିଜେପି ବୁଝାମଣା କଥା ଯୁକ୍ତି କରୁଛି ସରକାରୀ ଦଳ । ହେଲେ କେଉଁ ସ୍ୱାର୍ଥରେ ଆଜି ପ୍ରତିଦ୍ୱେନ୍ଦୀକୁ କୋଳେଇ ନେଇଛି ବିଜେପି ସେକଥା ସ୍ପଷ୍ଟ କରୁ । କେବଳ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲା ବିଜେଡ଼ି । ଓଡ଼ିଶାର ସ୍ୱାର୍ଥସାଧନ ପାଇଁ କ’ଣ ସମର୍ଥନ ଆଣିପାରିଛନ୍ତି ।  କେନ୍ଦ୍ରୀୟ ଅବହେଳା ଓ ମହାନଦୀ କଥା ଆଦି ସବୁ କେବଳ ନିର୍ବାଚନୀ ପ୍ରସଙ୍ଗ ଥିଲା । ଆଜି ଏକଥା ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଉଲ୍ଲେଖଯୋଗ୍ୟ, ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା କରାଯିବା ଚର୍ଚ୍ଚା ଚାଲିଥିଲା । ସମସ୍ତଙ୍କ ମନରେ ଧାରଣା ଥିଲା ଜୟନାରାୟଣ ମିଶ୍ରଙ୍କୁ ହିଁ ବିରୋଧୀ ଦଳ ନେତା ଚୟନ କରାଯିବ । ହେଲେ ହଠାତ୍ ବଦଳିଗଲା ନିଷ୍ପତ୍ତି । ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ବି ବିଜେପିର ରାଜ୍ୟସଭାରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କଲା ଓ ବିଜେଡି ସମର୍ଥନ ଜଣାଇଲା । ଯଦିଓ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଅନୁରୋଧରେ ବିଜେଡି ସମର୍ଥନ କରିବା କଥା କହିଥିଲା, କିନ୍ତୁ କେଉଁ ପରିସ୍ଥିତିରେ ଉଭୟଙ୍କ ନିଷ୍ପତ୍ତିକୁ ଦଳ ସମ୍ମାନ ଦେଲା, ତାହା କେହି ବୁଝିପାରିନଥିଲେ।  ହଠାତ୍ ବଦଳିଥିବା ରାଜନୀତି ପାଣିପାଗ ବିଜେଡି ଶିବିରରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।