କନକ ବ୍ୟୁରୋ : ଢେଙ୍କାନାଳରେ ଗର୍ଜିବେ ଚାଷୀ । ନବ ନିର୍ମାଣ କୃଷକ ସଂଗଠନ କରିବ ଜୟ କିଷାନ ସମାବେଶ । ଆଜି ଢେଙ୍କାନାଳରେ ହେବାକୁ ଥିବା ଚାଷୀ ସମାବେଶରେ ଶୁଭିବ କୃଷକଙ୍କ ଗର୍ଜନ । ଏନେଇ ସୂଚନା ଦେଇଛନ୍ତି, ନବ ନିର୍ମାଣ କୃଷକ ସଂଗଠନର ସର୍ବ ଭାରତୀୟ ସଂଯୋଜକ ଅକ୍ଷୟ କୁମାର । ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିଛି ସଂଗଠନ । ପ୍ରାଇସ୍ ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସମାବେଶ କରୁଛି ନବ ନିର୍ମାଣ କୃଷକ ସଂଗଠନ । ଢେଙ୍କାନାଳ ସମାବେଶରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହେବେ । ହାଟ ପଡିଆଠାରୁ ଷ୍ଟାଡିୟମ ଯାଏଁ ହେବ କୃଷକ ରାଲି । ଜଗତସିଂହପୁରରୁ ଜୟ କିଷାନ ସମାବେଶ ଆରମ୍ଭ କରିଛି ସଂଗଠନ ।

Advertisment

publive-imageଚାଷୀଙ୍କ ନ୍ୟାୟୋଚିତ ଦାବିକୁ ସରକାର ବାରମ୍ବାର ଉପେକ୍ଷା କରିଆସୁଛନ୍ତି । ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଫସଲ ହାନୀ ହେଉଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନରେ ଅସଙ୍ଗତି ରହିଛି । ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର ନକରି ସରକାର ଚାଷୀଙ୍କୁ ଅମର୍ଯ୍ୟାଦା କରୁଥିବା ସଂଗଠନ ଅଭିଯୋଗ କରିଛି । ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ବିଶାଳ ଚାଷୀ ସମାବେଶରେ ଯୋଗଦେବେ । ଚଷା ପୁଅ ନିଜ ହକର ଲଢେଇ ଲଢିବା ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗା କରିବା ଆଶା ।

ଏହି ସମାବେଶରେ ନବନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ ସଂଯୋଜକ ଅକ୍ଷୟ କୁମାର, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭରତ, ରଶ୍ମୀରଞ୍ଜନ ମହାନ୍ତି, ନିମାଇଁ ଚରଣ ରାୟ, ‘ଐରା’ ରାଜ୍ୟ ମହିଳା ସଂଗଠନର ମୁଖ୍ୟ ମଧୁମିତା ସାମଲ, ଯୁବ ସଂଗଠନର ମନ୍ସୁର ଅଲ୍ଲୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଂଯୋଜକମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।