କନକ ବ୍ୟୁରୋ : ଓ୍ଵାନ୍ ବେଲ୍ଟ ଓ୍ଵାନ୍ ରୋଡ(ଓବିଓଆର) ମାଧ୍ୟମରେ ସମଗ୍ର ବିଶ୍ୱରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର ଏବଂ ଏକଚାଟିଆ ବାଣିଜ୍ୟ କରିବାକୁ ଚାହୁଁଥିବାରୁ ଏହାକୁ ବିରୋଧ କରି ବିକଳ୍ପ ବ୍ୟବସ୍ଥା ପାଇଁ ଜାପାନ ତୟାର ହେଉଛି । ଆମେରିକା, ଭାରତ ଏବଂ ଅଷ୍ଟ୍ରେଲିଆ ସହାୟତାରେ ମୁକ୍ତ ବାଣିଜ୍ୟ କାରବାର ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ସମୁଦ୍ରକୁ ବାଣିଜ୍ୟିକ ବିସ୍ତାରବାଦ ନୀତିରୁ ମୁକ୍ତ ରଖିବା ପାଇଁ ଜାପାନ ଉଦ୍ୟମ ଆରମ୍ଭ କରିଛି ବୋଲି ଜାପାନ ବିଦେଶ ମନ୍ତ୍ରୀ ତାରୋ କୋନା କହିଛନ୍ତି । ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ ଏ ବାବଦରେ ଭିତ୍ତିଭୂମି ବିକାଶ ପାଇଁ ଖୁବ୍ଶୀଘ୍ର ଭାରତ, ଆମେରିକା ଓ ଅଷ୍ଟ୍ରେଲିୟା ସହିତ ଆଲୋଚନା ହେବ ବୋଲି ତାରୋ କହିଛନ୍ତି । ଆସନ୍ତା ନଭେମ୍ବର ୬ ତାରିଖ ଦିନ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଏ ନେଇ ବିସ୍ତୃତ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରେଲିୟା ସରକାରଙ୍କ ସହିତ ରଣନୀତିକ ଆଲୋଚନା ହେବ ବୋଲି ସେ କହିଛନ୍ତି ।
ଗତ ମଙ୍ଗଳବାର ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମହାଅଧିବେଶନରେ ଓବିଓଆର୍ ପ୍ରକଳ୍ପକୁ ମଂଜୁରି ଦିଆଯିବା ସହ ଏହାକୁ ଚୀନ୍ ସମ୍ବିଧାନରେ ସାମିଲ କରାଯାଇଛି । ଏହି ପ୍ରକଳ୍ପକୁ ଚୀନ୍ ସର୍ବାଧିକ ଗୁରୁତ୍ୱ ଦେଇ ୬୦ରୁ ଅଧିକ ରାଷ୍ଟ୍ରକୁ ଏଥିରେ ଯୋଡ଼ିବାକୁ ଉଦ୍ୟମ ଚଳାଇଛି। ଗ୍ଲୋବାଲ ଟ୍ରାନସପୋର୍ଟ ଏବଂ ବ୍ୟବସାୟର ରାସ୍ତା ପ୍ରସ୍ତୁତ କରିବା ପାଇଁ ଚୀନ୍ ଏ ବାବଦ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ଏହାର କେବଳ ନିଜର ସାମଗ୍ରୀ ଏବଂ ଅର୍ଥ ବିନିଯୋଗ କରିବାକୁ ଚାହୁଛି । ଓବିଓଆର ମାଧ୍ୟମରେ ସମଗ୍ର ବିଶ୍ୱରେ ବ୍ୟବସାୟିକ ଆଧିପତ୍ୟ ବିସ୍ତାର ପାଇଁ ଚୀନ୍ର ଏହି ଯୋଜନାକୁ ଭାରତ ଓ ଜାପାନ ଦୃଢ଼ ବିରୋଧ କରିଆସିଛନ୍ତି । ଚୀନ୍ର ଏକଚାଟିଆ କୂଟନୀତି ଏବଂ ପାକ୍ ଅଧିକୃତ କଶ୍ମୀରରେ ଆର୍ଥିକ କରିଡର ନିର୍ମାଣର ପ୍ରତିବାଦ କରି ଭାରତ ଓବିଓଆର୍ ସମ୍ମିଳନୀକୁ ବର୍ଜନ କରିଥିଲା। ସମ୍ମିଳନୀରେ ୨୯ଟି ରାଷ୍ଟ୍ର ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ଉତ୍ତର କୋରିଆର ଅଂଶ ଗ୍ରହଣ ଯୋଗୁଁ ଆମେରିକା କ୍ଷୁବ୍ଧ ହୋଇଥିଲା। ଓବିଓଆର୍ ପ୍ରସଙ୍ଗରେ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ କହିଥିଲେ ଯେ ଏହି ସିଲ୍କ ରୋଡ ବିଶ୍ୱ ବାଣିଜ୍ୟର ଗତିପଥକୁ ବଦଳାଇ ଦେବ। ମୁକ୍ତ, ସୁଲଭ ଏବଂ ସ୍ୱଚ୍ଛ ବାଣିଜ୍ୟ ପାଇଁ ଓବିଓଆର ଯୋଜନା ଯୁଗାନ୍ତକାରୀ ହେବ ଏବଂ ଏହି ପ୍ରକଳ୍ପ ପାଇଁ ଚୀନ୍ ୧୨୪ ବିଲିୟନ ଡଲାର ଯୋଗାଇ ଦେବ ।
ଗୋଟିଏ ପଟେ ଓବିଓଆର୍ ପାଣ୍ଠି ପାଇଁ ଚୀନ୍ର ୧୨୪ ବିଲିୟନ ଡଲାର ଘୋଷଣା ବିଶ୍ୱ ବାଣିଜ୍ୟରେ ଏହାର ଆଧିପତ୍ୟକୁ ଦର୍ଶାଉଥିବା ବେଳେ ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଆମେରିକା ଏହି ପ୍ରକଳ୍ପର ବ୍ୟବହାରିକ ଦିଗ ନେଇ ପ୍ରଶ୍ନ ଉଠାଇଛି । ଚୀନ ଅନ୍ୟ ଦେଶମାନଙ୍କ ସହ ମିଶି ବନ୍ଦର, ରେଳପଥ ଓ ସଡ଼କପଥ ନିର୍ମାଣ କରି କେବଳ ନିଜର ବାଣିଜ୍ୟ ବିସ୍ତାର କରିବା ପାଇଁ ଯୋଜନା ରଖିଥିବାରୁ ଭାରତ ଏହାକୁ ବାସନ୍ଦ କରିଛି। ଭାରତକୁ ବାଦଦେଇ ସିଲ୍କ ରୋଡ ନିର୍ମାଣ ଏହାର ଉଦ୍ଦେଶ୍ୟ ସାଧନ କରିପାରିବ ନାହିଁ ବୋଲି ମଧ୍ୟ କୂଟନୀତିଜ୍ଞମାନେ ମତ ଦେଇଛନ୍ତି । ଓବିଓଆର ପ୍ରକଳ୍ପର ଏକ ପ୍ରମୁଖ ଯୋଜନା ଭାବେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇପି) ନିର୍ମାଣ ଚାଲିଛି ।
ତିନି ହଜାର କିମି ଲମ୍ବ ଏହି ରାସ୍ତା ଚୀନର ସିନ୍ଜିଆଙ୍ଗ ଠାରୁୁ ପାକିସ୍ତାନର ଗ୍ଵାଦର ବନ୍ଦରକୁ ଯୋଡ଼ିଛି । ଚୀନ ଅନ୍ୟ ରାଷ୍ଟ୍ର ଉପରେ ନିଜର ଯୋଜନା ଲଦିବାକୁ ଉଦ୍ୟମ କରୁଥିବାରୁ ସିଲ୍କ ରୋଡ ପ୍ରକଳ୍ପର ବିକଳ୍ପ ବ୍ୟବସ୍ଥା ପାଇଁ ଏବେ ଜାପାନ ଅଣ୍ଟା ଭିଡ଼ିଛି । ଜାପାନ, ଭାରତ, ଆମେରିକା ଏବଂ ଅଷ୍ଟ୍ରେଲିଆ ମିଳିତ ଭାବେ ଏ ଦିଗରେ ଅଭିଯାନ ଆରମ୍ଭ କଲେ ସମଗ୍ର ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାକୁ ଗୋଟିଏ କରିଡର କରିବା ସହଜ ହେବ ବୋଲି ଜାପାନ ବିଦେଶ ମନ୍ତ୍ରୀ କହିଛନ୍ତି । ଜାପାନର ଏଭଳି ଆଭିମୁଖ୍ୟକୁ ଦେଖି ଓବିଓଆରରେ ସାମିଲ ନିମନ୍ତେ ଭାରତକୁ ମନାଇବା ପାଇଁ ମଧ୍ୟ ଚୀନ୍ ଉଦ୍ୟମ ଆରମ୍ଭ କରିଦେଇଛି । ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଭାରତ ମତଭେଦ ଭୁଲି ଏଥିରେ ସାମିଲ ହେବା ଉଚିତ ।