ଜାନକୀଙ୍କୁ ବିଚଳିତ କରୁନଥିଲା ଜୟ-ପରାଜୟ, ସଫଳତା- ବିଫଳତା ! ପ୍ରତିକୂଳ ପରିସ୍ଥିତିରେ ଅଧିକ ପ୍ରସ୍ଫୁଟିତ ହେଉଥିଲା ବ୍ୟକ୍ତିତ୍ୱ

225

କନକ ବ୍ୟୁରୋ : ଜାନକୀ ବଲ୍ଲଭ ଥିଲେ ଜଣେ ଦୃଢମନା, ସ୍ଥିତପ୍ରଜ୍ଞ ରାଜନେତା । ଜୟ-ପରାଜୟ, ସଫଳତା- ବିଫଳତା ତାଙ୍କୁ କେବେ ବି ବିଚଳିତ କରୁନଥିଲା । ନା’ ବିଜୟରେ ସେ କେବେ ଅହଂକାରୀ ହୋଇଛନ୍ତି, ନା ପରାଜୟରେ ସେ କେବେ ଧୈର୍ଯ୍ୟହରା ହୋଇପଡିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ତାଙ୍କର ବ୍ୟକ୍ତିତ୍ୱ ଅଧିକ ପ୍ରସ୍ଫୁଟିତ ହୋଇଛି । ତେଣୁ ପ୍ରତିଟି କ୍ଷେତ୍ରରେ ସେ ଛାଡି ଦେଇଛନ୍ତି ଅଲିଭା ଛାପ । ତାଙ୍କ ପାଇଁ ରାଜନୀତି କ୍ଷମତା ଆହରଣର ଏକ ମାଧ୍ୟମ ନଥିଲା ବରଂ ରାଜନୀତି ତାଙ୍କ ପାଇଁ ଥିଲା ଦେଶ ନିର୍ମାଣ ଏବଂ ଜନସେବାର ପବିତ୍ର ମାଧ୍ୟମ ।

“ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’ । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ଏହି ସଂଳାପ କେବଳ ଜାନକୀ ବଲ୍ଲଭଙ୍କ ମୂଳମନ୍ତ୍ର ନଥିଲା ବରଂ ନିଜ କର୍ମ ମାଧ୍ୟମରେ ସେ ଏହାକୁ ପ୍ରମାଣିତ କରିଥିଲେ । କଠିନ ପରିଶ୍ରମ ଓ ଚରମ ଅଧ୍ୟବସାୟ ବଳରେ ସେ ରାଜନୀତି, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସାମାଜିକ ସଂସ୍କାର ଆଦି ନିଜ ମନୋନିତ ପ୍ରତିଟି କ୍ଷେତ୍ରରେ ସ୍ୱର୍ଗତ ଜାନକୀ ପଟ୍ଟନାୟକ ତାଙ୍କ ଅଲିଭା ଛାପ ଛାଡିଯାଇଛନ୍ତି । ଏହି ବହୁମୁଖୀ ଦିଗ ଭିତରୁ ଯେଉଁ କ୍ଷେତ୍ରରେ ତାଙ୍କ ଅବଦାନ ଓ ଭୂମିକା ଅଧିକ ଆଲୋଚନା ପାଇଁ ଖୋରାକ ଯୋଗାଇଛି ତାହାହେଲା ରାଜନୀତି ।

କାରଣ ରାଜନୀତି ଜାନକୀଙ୍କ ପାଇଁ କେବଳ କ୍ଷମତା ଆହରଣର ଏକ ମାଧ୍ୟମ ନଥିଲା ବରଂ ରାଜନୀତି ତାଙ୍କ ପାଇଁ ଦେଶ ଓ ଜାତି ନିର୍ମାଣ ଏବଂ ଜନସେବାର ପବିତ୍ର ମାଧ୍ୟମ ଥିଲା । ଓଡିଶା ରାଜନୀତିରେ ଜାନକୀ ବଲ୍ଲଭ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ଦୀର୍ଘ ୪ ଦଶକର ସକ୍ରିୟ ରାଜନୈତିକ ଜୀବନରେ ଉଭୟ ସଫଳତା ଓ ବିଫଳତାର ଅନୁଭବ ପାଇଛନ୍ତି । ହେଲେ ତାଙ୍କ ପାଇଁ ଜୟ-ପରାଜୟ, ସଫଳତା- ବିଫଳତା ମୁଦ୍ରାର ଦୁଇ ପାଶ୍ୱର୍ ହୋଇ ରହିଥିଲା । ନା ବିଜୟରେ ସେ ଆତ୍ମବିଭୋର ହୋଇ ଅହଂକାରୀ ହୋଇଛନ୍ତି, ନା ପରାଜୟରେ ଆତ୍ମସଂଜମ ହରାଇ ଧୈର୍ଯ୍ୟହରା ହୋଇପଡିଛନ୍ତି । ସେଥିପାଇଁ ଦୀର୍ଘ ୪ ଦଶନ୍ଧିର ଓଡିଶା ରାଜନୀତିରେ ଏହି ଚାଣକ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଆସିଛନ୍ତି ।

ଜାନକୀ ବଲ୍ଲଭ
– କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ରାଜ୍ୟପାଳ
ବିଜୁ ପଟ୍ଟନାୟକ
– କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ହୋଇଛନ୍ତି
– କିନ୍ତୁ ରାଜ୍ୟପାଳ ହୋଇପାରି ନାହାନ୍ତି ବିଜୁ ପଟ୍ଟନାୟକ
ହରେକୃଷ୍ଣ ମହତାବ
– କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଇଛନ୍ତି
– ହେଲେ ବିରୋଧୀ ଦଳ ନେତା ହୋଇନାହାନ୍ତି ଡକ୍ଟର ମହତାବ

 ଜାତୀୟ ରାଜନୀତିର ପଟ୍ଟ ପରିବର୍ତନ ସହ ଜାନକୀ ବଲ୍ଲଭ ପଟ୍ଟନାୟକ  ଓଡିଶା ରାଜନୀତିର କର୍ଣ୍ଣଧାର ସାଜିଥିଲେ । ୧୯୮୦ରେ ଲୋକସଭାକୁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ କ୍ୟାବିନେଟରେ ସେ ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଓ ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିବର୍ଷ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ସର୍ବସମ୍ମତିରେ ଜାନକୀ ବଲ୍ଲଭ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରାଜନୀତି କ୍ଷେତ୍ରକୁ ସେ ପରେ ପ୍ରବେଶ କଲେ, କିନ୍ତୁ ନିଜ ଯୋଗ୍ୟତାକୁ ଉପଯୋଗ କରି ଦୁଇଟି ପ୍ରମୁଖ ସମ୍ବାଦପତ୍ରର ସଂପାଦନାବେଳେ ସେହି ମୂଲଦୁଆ ଉପରେ ତାଙ୍କ ରାଜନୈତିକ ଜୀବନର ଭିତିଭୂମି ପ୍ରସ୍ତୁତ ହୋଇଚାଲିଥିଲା । ସାହିତ୍ୟ ପ୍ରତି ରୁଚି ତାଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମିତି ସହ ଯୋଡିଦେଲା । ପ୍ରଥମେ ଇଷ୍ଟର୍ଣ୍ଣ ଟାଇମ୍ସର ଯୁଗ୍ମ ସଂପାଦ ପରେ ସଂପାଦକ ଓ ପୁଣି ପ୍ରଜାତନ୍ତ୍ରର ସଂପାଦକ ହେଲେ ଜାନକୀ ପଟ୍ଟନାୟକ । ୧୯୬୭ରେ ଜାନକୀ ବଲ୍ଲଭ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ଇସ୍ତଫା ଦେଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଲେ । ହେଲେ ନିଜ ସାହିତ୍ୟିକ ବିଚାରଧାରାକୁ ଜୀବିତ ରଖିବା ଲାଗି ନିଜସ୍ୱ ଉଦ୍ୟମରେ ପୌରୁଷ ପତ୍ରିକାର ସମ୍ପାଦନା ଆରମ୍ଭ କରିଥିଲେ ।

ଯେଉଁ ପତ୍ରିକାର ମର୍ମବାଣୀ ରୁପେ ବାଛିଥିଲେ ବେଣୀ ସଂହାରମ୍ ନାଟକରେ ମହାରଥୀ କର୍ଣ୍ଣଙ୍କ ସ୍ୱାଭିମାନ ଉକ୍ତିକୁ । “ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’ । ଯାହାକୁ ନିଜ ଜୀବନର ମର୍ମବାଣୀ ଭାବେ ପ୍ରତିପାଦିତ କରିପାରିଥିଲେ ଜାନକୀ ବଲ୍ଲଭ । କାରଣ ଏକ ସାଧାରଣ ମଧ୍ୟବିତ ପରିବାରରୁ ଆସିଥିଲେ ମଧ୍ୟ ନିଜସ୍ୱ ନିଷ୍ଠା ଓ ସାଧନା ବଳରେ ସଫଳତାର ଶୀର୍ଷ ଛୁଇଁଥିବା ଜଣେ ବିରଳ ବ୍ୟକ୍ତିତ୍ୱ ଜାନକୀ ବଲ୍ଲଭ ପଟ୍ଟନାୟକ । ସଂକ୍ଷେପରେ କହିଲେ ଜାନକୀଙ୍କ ଜୀବନ ଥିଲା ଏକ କର୍ମମୟ, ଧର୍ମମୟ ଓ ସ୍ୱପ୍ନମୟ ଜୀବନ ।