ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ !

66

କନକ ବ୍ୟୁରୋ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆଜି ହେଉଛି ତୃତୀୟ ଶ୍ରାଦ୍ଧବାର୍ଷିକୀ । ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଆଜି ସଂଧ୍ୟାରେ କଟକ ସାରଳା ଭବନରେ ଏକ ସଭା ଆୟୋଜନ କରାଯିବ । ସଭାରେ ଡ଼କ୍ତର ଗୋବିନ୍ଦ ଭୂୟାଁଙ୍କ ଲିଖିତ ‘ସାର୍ଥକ ସାରଥି ଜାନକୀବଲ୍ଲଭ’ ଜୀବନୀ ଗ୍ରନ୍ଥର ଇଂରାଜୀ ଅନୁବାଦ ‘ ଜେବି ପଟ୍ଟନାୟକ ଦି ଲିଡ଼ର ଅଫ ଏକ୍ସଟ୍ରାଅଡ଼ିନାରୀ ପୁସ୍ତକ ଉନ୍ମୋଚନ କରାଯିବ । ପ୍ରଫେସର ବିଜୟ କୁମାର ନନ୍ଦ ପ୍ରକାଶିତ ହେବାକୁ ଥିବା ଗ୍ରନ୍ଥର ଇଂରାଜୀ ଅନୁବାଦ କରିଛନ୍ତି । ସଭାରେ ମୁଖ୍ୟ ଅତିଥିଭାବେ ପ୍ରଖ୍ୟାତ କବି ପଦ୍ମବିଭୂଷଣ ରମାକାନ୍ତ ରଥ ଯୋଗ ଦେବେ ।

ଏହାସହ ବିଜିନେସ ୱାଲ୍ଡର ମୁଖ୍ୟ ସଂପାଦକ ଅନୁରାଗ ବାତ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେବାବେଳେ ସମ୍ମାନୀତ ଅତିଥିଭାବେ ଯୋଗ ଦେବେ ସମ୍ବାଦର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଏହି ଅବସରରେ ପ୍ରତିବର୍ଷ ପରି ସମାଜସେବା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଓଡ଼ିଶାର ୩ ଜଣ କୃତବିଦ୍ୟ ବ୍ୟକ୍ତିଙ୍କୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯିବ। ଏହି ସ୍ମୃତିସଭାରେ ଯୋଗ ଦେବା ପାଇଁ ଅନୁଷ୍ଠାନର ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ, ଇଂଜିନିୟର ପ୍ରଭାକର ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଅନୁରୋଧ କରିଛନ୍ତି।