ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ ! ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ

69

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଲାଗିରହିଛି ତୁଷାରପାତ । ଅନେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଚାଲିଯାଇଥିବା ବେଳେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି । ଜମ୍ମୁ କାଶ୍ମୀରର ଉଚ୍ଚ ପାହାଡି ଅଂଚଳରେ ଲଗାତାର ବର୍ଷା ହେବା ପରେ ପୁରା ରାଜ୍ୟରେ ଶୀତର ଲହରି ଖେଳିଯାଇଛି । ସକାଳେ ହୋଇଥିବା ବରଫପାତ ଯୋଗୁଁ ଜବାହାର ଟନଲ ଓ ତାର ଆଖପାଖ ଅଂଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ରାସ୍ତା ଉପରେ ବରଫ ଜମା ହେବାରୁ ଗାଡି ମଟର ଯିବା ଆସିବାରେ ଅସୁବିଧା ଉପୁଯିଥିବାରୁ ସମସ୍ତ ରାସ୍ତାଗୁଡିକୁ ବନ୍ଦ କରିଦିଆଯାଇଛି । ଫଳରେ ରାଜପଥରେ ହଜାର ହଜାର ଗାଡି ଅଟକିି ରହିଥିବା ଦେଖିବାକୁ ମିଳିଛି । ଯାତାୟତ ବନ୍ଦ ଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେପଟେ ଶ୍ରୀନଗର ଲେହ ରାଷ୍ଟ୍ରୀୟ ରାଜପଥ ସହ ମୁଗଲ ରୋଡରେ ୪ଦିନ ହେଲାଣି ରାସ୍ତା ବନ୍ଦ ଥିବାରୁ ଯାତାୟତ ଠପ୍ ହୋଇଯାଇଛି ।