ଅଫେରା ଦୁନିଆରେ ବୀର ଯବାନ୍ । ବିବାହକୁ ଚାରି ମାସ ପୂରିନି, ସ୍ୱାମୀଙ୍କୁ ମନଭରି ଦେଖିବା ଆଗରୁ ମଥାରୁ ସିନ୍ଦୁର ଲିଭିଗଲା । ଘରକୁ ଫେରିବା ଦିନ ଶତ୍ରୁ ସହ ଲଢ଼ି ପ୍ରାଣବଳୀ ଦେଲେ ମେଜର୍ ଅନୁଜ୍ ସୁଦ୍ ।

12,405

କନକ ବ୍ୟୁରୋ : ଚାରିଆଡ଼େ ଅବ୍ୟକ୍ତ ନୀରବତା । ଶତ୍ରୁ ସହ ଲଢ଼ି ସହିଦ ହୋଇଗଲେ ଦେଶର ଆଉ ଜଣେ ବୀର ଯବାନ । ବୀର ପୁତ୍ରକୁ ହରାଇ ଗୁମୁରି କାନ୍ଦୁଛି ମା’ ମାଟି । ଘରକୁ ଫେରିବା ଦିନ ହିଁ ମା’ ମାଟି ପାଇଁ ଦେଶ ପାଇଁ ଲଢ଼ି ହସି ହସି ପ୍ରାଣବଳୀ ଦେଲେ ବୀର ଯବାନ ମେଜର୍ ଅନୁଜ୍ ସୁଦ୍ । ଗତକାଲି ହନ୍ଦୱାଡ଼ା ଆତଙ୍କୀ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ୫ ଜଣ ଯବାନଙ୍କ ମଧ୍ୟରେ ସାମିଲ ଥିଲେ ମେଜର୍ ସୁଦ୍ । ଭୂତାଣୁ ଭୟ ଭିତରେ ସହିଦ୍ ବୀର ଯବାନଙ୍କ ସୌର୍ଯ୍ୟଙ୍କୁ ମନେ ରଖିବ ସାରା ଦେଶ । ପୁଅର ସହିଦ ହେବାର ଖବର ଶୁଣିବା ପରେ ଭାଙ୍ଗିପଡ଼ିଛି ପୁରା ପରିବାର । ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ବୀର ପୁତ୍ରର ପିତା ଆଜି ଗର୍ବିତ ।

ତାଲାବନ୍ଦରେ ସମେସ୍ତ ଥିଲାବେଳେ ଶତ୍ରୁ ସହ ଲଢ଼ି ମା ମାଟିର ଲୋଟିପଡ଼ିଲେ ଲଢ଼ୁଆ ପୁଅ । ଲକଡାଉନ୍ ପାଇଁ ଥରେ ଛୁଟି କ୍ୟାନସେଲ୍ ହୋଇସାରିଥିଲା । ହେଲେ ଯେଉଁ ଦିନ ଘରକୁ ଆସିବାର ତାରିଖ ସ୍ଥିର ହୋଇଥିଲା, ସେଦିନ ଦେଶ ପାଇଁ ଜୀବନ ଦେଇଦେଲେ ମେଜର୍ । ବ୍ରିଗେଡ଼୍ ଅଫ୍ ଗାର୍ଡ଼ସର ଅଧିକାରୀ ଥିଲେ ମେଜର୍ ଅନୁଜ୍ ସୁଦ୍ । ଆତଙ୍କୀ ଆକ୍ରମଣରେ ବୀରଗତି ପ୍ରାପ୍ତ କରିଥିବା ଅନୁଜଙ୍କ ପିତା ଜଣେ ଅବସରପ୍ରାପ୍ତ ବ୍ରିଗେଡ଼ିୟର । ଭଉଣୀ ମଧ୍ୟ ସେନାରେ କାର୍ଯ୍ୟରତ କ୍ୟାପଟେନ୍ ।

ଜଣେ ମେଧାବୀ ଛାତ୍ର ଥିବା ଅନୁଜ ସୁଦ୍ ପାଠପଢ଼ାରେ ସବୁବେଳେ ବେଶ୍ ଆଗୁଆ ଥିଲେ । ଆଇଆଇଟିରେ ପାଇଁ କ୍ୱାଲିଫାଏ କରିଥିଲେ ସୁଦ୍ଧା ଦେଶ ମାତୃକାର ମନୋବୃତ୍ତି ନେଇ ସେନାରେ ଯୋଗ ଦେଇଥିଲେ । ସବୁଠାରୁ ଦୁଃଖର କଥା ହେଲା ଅନୁଜ୍ ସୁଦଙ୍କର ବିବାହକୁ ଚାରି ମାସ ପୂରିନି । ସ୍ୱାମୀ ଘରକୁ ଆସିଲେ ବୋଲି ଅନୁଜଙ୍କ ପତ୍ନୀଙ୍କ ଗୋଡ଼ ତଳେ ଲାଗୁନଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ, ଅଫେରା ଦୁନିଆକୁ ଚାଲିଗଲେ ଅନୁଜ୍ । ସ୍ୱାମୀକୁ ମନ ପୂରେଇ ଟିକିଏ ଦେଖିବା ଆଗରୁ ମଥାରୁ ସିନ୍ଦୁର ଲିଭିଗଲା ।

ବୀର ପୁତ୍ରକୁ ହରାଇଥିଲେ ହେଁ ଛାତିକୁ ପଥର କରି ମେଜରଙ୍କ ପିତା କହିଛନ୍ତି, ପୁଅ ଦେଶ ପାଇଁ ଜୀବନ ଦେଇଛି । ସେଥିପାଇଁ ଦୁଃଖ ନାହିଁ । ଦୁଃଖ କେବଳ ବୋହୂ ପାଇଁ । କିଛି ମାସ ତଳେ ଲାଲ ଯୋଡ଼ା ପିନ୍ଧି ଘରକୁ ଆସିଥିବା ବୋହୁର ଲୁହ ଦେଖି ହେଉନି । ପୁଅ ଦେଶ ପାଇଁ ମାଟି ପାଇଁ କର୍ତ୍ତବ୍ୟ କରିଛି । ଏପରି କହୁ କହୁ ଛାତି କୁଣ୍ଢେମୋଟ ହୋଇଯାଉଛି ସିନା, ହେଲେ ପୁଅକୁ ହରାଇ କୋହକୁ ।

ଗତକାଲି ସହିଦ ହୋଇଥିବା ମେଜର ଅନୁଜଙ୍କ ପାର୍ଥିବ ଶରୀର ଆଜି ତାଙ୍କ ପୈତୃକ ଗାଁ ପଞ୍ଚକୁଳରରେ ପହଞ୍ଚିବ । ସୈନ୍ୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବୀର ପୁତ୍ରର ଶେଷ ଦର୍ଶନ ପାଇଁ ଚାହିଁବସିଛନ୍ତି ପରିବାର ତଥା ଗାଁ ଲୋକ ।