କନକ ବ୍ୟୁରୋ : ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି । ଉଛେଦ ହେବ ଧାରା ୩୭୦ ଏବଂ ଆଜିଠାରୁ ଲାଗୁ ହେବ ନୂଆ ଆଇନ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି । ଲୋକସଭାରେ ମଙ୍ଗଳବାର ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ଓ ବିପକ୍ଷରେ ୭୦ ଟି ଭୋଟ ପଡିଥିଲା । ସୋମବାର ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା ।

Advertisment

ଏହି ଆଇନ ଅନୁଯାୟୀ ଜମ୍ମୁକଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇବ । ଜମ୍ମୁକାଶ୍ମୀର ଠାରୁ ଅଲଗା ହୋଇଛି ଲଦାଖ । ଦୁଇ କେନ୍ଦ୍ରଶାସିତ ଅଂଚଳରେ ପରିଣତ ହୋଇଛି ଜମ୍ମୁକାଶ୍ମୀର ଓ ଲଦାଖ । ଜମ୍ମୁକାଶ୍ମୀରରେ ବିଧାନସଭା ରହିଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ । ଏଣିକି ଏକମାତ୍ର ପତାକା ଭାବେ ଜମ୍ମୁକାଶ୍ମୀରରେ ଉଡିବ ତ୍ରିରଙ୍ଗା । ସୋମବାର ରାଜ୍ୟସଭାରେ ବିଲ୍ ପାସ୍ ହୋଇଥିବାବେଳେ ମଙ୍ଗଳବାର ଲୋକସଭାରେ ପାସ୍ ହୋଇଥିଲା ବିଲ୍ ।

ତେବେ ଲୋକସଭାରେ ଏହି ବିଲ୍ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀ କହିଥିଲେ ଜମ୍ମୁ, କଶ୍ମୀର ଏବଂ ଲଦାଖର ଭାଇ ଓ ଭଉଣୀଙ୍କୁ ସେମାନଙ୍କ ସାହସ ଓ ଧୈର‌୍ୟ୍ୟ ପାଇଁ ଅଭିବାଦନ ଜଣାଇଛନ୍ତି । ଏହି ବିଲ୍ ଜମ୍ମୁ କଶ୍ମୀର ଅଞ୍ଚଳର ସମନ୍ବୟ ଏବଂ ସଶକ୍ତୀକରଣରେ ସହାୟକ ହେବ। ରାଜ୍ୟର ଯୁବବର୍ଗଙ୍କୁ ଏହା ମୁଖ୍ୟସ୍ରୋତରେ ସାମିଲ କରିପାରିବ। କେବଳ ସେତିକି ନୁହେଁ, ସେମାନଙ୍କ ଦକ୍ଷତା ଏବଂ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ପର‌୍ୟ୍ୟାପ୍ତ ସୁଯୋଗ ପ୍ରଦାନ କରିବ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ହେବ ବୋଲି ମୋଦୀ କହିଛନ୍ତି।