ଦୁଇ ପରିବାର ଭିତରେ ରକ୍ତାକ୍ତ ସଂଘର୍ଷ : ଜମନକିରାରେ ସମ୍ପର୍କୀୟଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ

34

କନକ ବ୍ୟୁରୋ : ସମ୍ପର୍କ ସାଜିଲା ଶତ୍ରୁ । ଆଜି ସମସ୍ତେ ରଜ ମଉଜରେ ମସଗୁଲ ଥିବାବେଳେ ରାଜ୍ୟର ୩ଟି ସ୍ଥାନରେ ଏଭଳି ଘଟଣା ନଜରକୁ ଆସିଛି ଯେଉଁଠି ସମ୍ପର୍କ ହିଁ ପାଲଟିଛି ଶତ୍ରୁ । ଅନୁଗୁଳ, ଦେବଗଡ ଓ କୁଚିଣ୍ଡାରୁ ଏଭଳି ଆସିଛି ଭିନ୍ନ ଭିନ୍ନ ଘଟଣା । ଅନୁଗୁଳରେ ବାପା-ମାକୁ, ପୁଅ ହତ୍ୟା କରିଥିବାବେଳେ ଦେବଗଡରେ ମଦ୍ୟପ ପୁଅ ହତ୍ୟା କରିଛି ବାପାକୁ । ସମ୍ବଲପୁର ଜମନକିରାରେ ବି ଆଉ ଏକ ଲୋମହର୍ଷଣୀ ଘଟଣା ସାମ୍ନାକୁ ଆସିଛି । ଦୁଇ ପରିବାର ଭିତରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଆହତ ହୋଇଛନ୍ତି ।

ସର୍ମ୍ପକୀୟଙ୍କ ଟାଙ୍ଗିଆ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୈଡପାଳି ଗାଁରେ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସମ୍ପର୍କୀୟଙ୍କ ଟାଙ୍ଗିଆ ଆକ୍ରମଣରେ ଜେମା ମହାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଅଲେଖ ମହାନନ୍ଦ ଗୁରୁତର ଆହତ ହୋଇଛନ୍ତି । ଅଲେଖଙ୍କୁ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ସେପଟେ ଅଭିଯୁକ୍ତ ପ୍ରକାଶ ଧାନଗୁଣ୍ଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଜମନକିରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେପଟେ ଅନୁଗୁଳରେ ନିଜ ବାପା ମାଙ୍କୁ ପୁଅ ହାତୁଡିରେ ପିଟି ହତ୍ୟା କରିଥିବା ବେଳେ ଦେବଗଡରେ ମଦ୍ୟପ ପୁଅର ଗୁଳିରେ ପ୍ରାଣହରାଇଛନ୍ତି ବାପା । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବରପଦର ଗାଁରେ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ହାତୁଡିରେ ପିଟି ବାପା ମାଙ୍କୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ ଦୁଃଖୀଶ୍ୟାମ ବଘାରକୁ ପୁଲିସ ଅଟକ ରଖିଛି । ମୃତକ ଦଂପତି ହେଲେ କରୁଣା ବଘାର ଓ ଚମ୍ପା ବଘାର । ଗତକାଲି ରାତିରେ ଦୁଃଖୀଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଖୀଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରିଥିଲେ । ତେବେ ଏପରି କରିବାରୁ ତାଙ୍କୁ ବାପା ମା ବାରଣ କରିବାରୁ ହାତୁଡିରେ ଆକ୍ରମଣ କରିଥିଲା ଦୁଖୀଶ୍ୟାମ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।

ଏହାସହ ଦେବଗଡରେ ମଧ୍ୟ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ପୁଅର ଗୁଳିରେ ଟଳିପଡିଛନ୍ତି ବାପା । ଦେବଗଡ ଜିଲ୍ଲା କୁଣ୍ଢେଇଗୁଡା ଥାନା ଶ୍ୟଙ୍ଗିପାଳ ଗାଁରେ ପାରିବାରିକ କଳହକୁ ନେଇ ବାପାକୁ ଗୁଳି ମାରିଛି ମଦ୍ୟପ ପୁଅ । ଫଳରେ ବାପାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।