ଦିନକୁ ଦିନ ବଢ଼ୁଛି ରୋଗୀ ସଂଖ୍ୟା ହେଲେ ଡାକ୍ତରଙ୍କ ପଦବୀ ଖାଲି ! ଡାକ୍ତର ଅଭାବରୁ ହୋଇପାରୁନି ଚିକିତ୍ସା

27

କନକ ବ୍ୟୁରୋ : ରୋଗୀ ସଂଖ୍ୟା ବଢୁଛି ହେଲେ ବଢ଼ୁନି ଡାକ୍ତର ସଂଖ୍ୟା । ବରଂ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ ରୋଗୀଙ୍କ ଚିକିତ୍ସା ପାଇପାରୁନାହାନ୍ତି । କେଉଁଠି ଡାକ୍ତର ଅଭାବରୁ ତ ଆଉ କେଉଁଠି ଫାର୍ମାଷିଷ୍ଟଙ୍କ ଭରସାରେ ଡାକ୍ତରଖାନା ଚାଲିଛି ଆଉ କେଉଁଠି ସରକାରୀ ଡାକ୍ତରଖାନାରୁ ଚିକିତ୍ସା ନପାଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ରୋଗୀ ।

କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ ଡାକ୍ତରଖାନାର ବିଭିନ୍ନ ବିଭାଗରେ ତାଲା ଝୁଲୁଛି । ଡାକ୍ତରଙ୍କ ଟେବୁଲ ଖାଲି, ବେଡ ବି ଖାଲି ପଡିଛି । ଯେଉଁ କିଛି ବେଡରେ ରୋଗୀ ଅଛନ୍ତି, ସେମାନଙ୍କୁ ଠିକରେ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି ଡାକ୍ତର ଅଭାବ । ଡାକ୍ତରଖାନାରେ ୬ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୩ ଜଣ । ସେଥିରୁ ଜଣେ ପ୍ରଶାସନିକ ଦାୟିତ୍ୱରେ ଅଛନ୍ତି ।

ରୋଗୀଙ୍କ ସଂଖ୍ୟା ବଢ଼ିବାରୁ କ୍ଷତ୍ରିୟ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଛି କିନ୍ତୁ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ପ୍ରଭାବିତ ହେଉଛି । କେବଳ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ଜିଲାର ଅଧିକାଂଶ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ଅବସ୍ଥା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଡାକ୍ତର ପଦବୀ ଖାଲି ପଡିଛି । ଡାକ୍ତରଖାନାରେ ୭୧ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୨୧ଜଣ ଡାକ୍ତର ଚିକିତ୍ସା ଯୋଗାଉଥିବା ସ୍ୱୀକାର କରିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ । ସେପଟେ ଏଭଳି ସମସ୍ୟା ସଂପର୍କରେ ସରକାର ସଚେତନ ଅଛନ୍ତି । ଖାଲି ପଡିଥିବା ପଦବୀ ପୁରଣ ପାଇଁ ଉଦ୍ୟମ ଜାରି ରହିଥିବା କହିଥନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯାଜପୁର ଜିଲାରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଂକଟ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।