ରକ୍ଷଣାବେକ୍ଷଣ ଅଭାବରୁ ହଜିବାକୁ ବସିଛି ପୁରାତନ କିର୍ତ୍ତୀରାଜି : ନଷ୍ଟ ହେଉଛି ଯାଜପୁରଜିଲ୍ଲାର ବୈତରଣୀ ନଦୀ କୂଳରେ ଥିବା ବହୁ ପୁରାତନ ମନ୍ଦିର

58

କନକ ବ୍ୟୁରୋ : ରକ୍ଷଣାବେକ୍ଷଣ ଅଭାବରୁ ହଜିବାକୁ ବସିଲାଣି ପୁରାତନ କିର୍ତ୍ତୀରାଜି । ନଷ୍ଟ ହେଉଛି ଯାଜପୁର ଜିଲ୍ଲାର ବୈତରଣୀ ନଦୀ କୂଳରେ ଥିବା ବହୁ ପୁରାତନ ମନ୍ଦିର । ପ୍ରତିବର୍ଷ ବର୍ଷା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି ବରାହନାଥ, ସପ୍ତମାତୃକା, ଜଗନ୍ନାଥ ମନ୍ଦିର ଭଳି ପୁରାତନ କିତ୍ରାଜି । କିନ୍ତୁ ଏହାର ସୁରକ୍ଷା ଦିଗରେ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ମନ୍ଦିର ଭିତରେ ପାଣି ପଶିଯାଉଥିବା ବେଳେ ଜଳ ନିସ୍କାସନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲାପାଳ ।

ଦୁର୍ବଳ ହେଉଛି ଐତିହ୍ୟର ସ୍ମାରକୀ । ବର୍ଷା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି ବହୁ ପୂରାତନ ମନ୍ଦିର । ଏ କଥା ଆପଣଙ୍କ ସାମ୍ନାରେ ଥିବା ବୈତରଣୀ କୂଳର ବିଭିନ୍ନ ମନ୍ଦିର ବୟାନ କରୁଛି । ବର୍ଷା ହେଲେ ଯାଜପୁର ବରାହନାଥ ମନ୍ଦିର ଚାରିପଟେ ପାଣି ଜମିବା ସହ ଭିତରେ ପଶେ । ସେହିଭଳି ବୈତରଣୀ ନଦୀରେ ବନ୍ୟା ଆସିଲେ ଜଳବନ୍ଦୀ ହୋଇଯାଏ ସପ୍ତମାତୃକା ଓ ଜଗନ୍ନାଥ ମନ୍ଦିର ।

ବୈତରଣୀ କୂଳରେ ଥିବା ମନ୍ଦିର ପ୍ରତିବର୍ଷ ପାଣିରେ ବୁଡୁ ରହିବା ଖବର ସାମ୍ନାକୁ ଆସେ । ହେଲେ ଏହି ପୁରାତନ କିର୍ତୀରାଜିର ସୁରକ୍ଷା ଦାୟିତ୍ୱ ନେଇଥିବା ଏଏସଆଇ ରକ୍ଷଣାବେକ୍ଷଣ ପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି । ମନ୍ଦିର ଗୁଡିକର ଅବସ୍ଥା ଧୀରେ ଧୀରେ ନଷ୍ଟ ହେଉଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବା କୁହାଯାଏ ।

ସେପଟେ ଏହି ସମସ୍ୟା ସଂପର୍କରେ ପ୍ରଶାସନ ଅବଗତ ଅଛି । ଜଳ ଜମୁଥିବା ସ୍ଥାନରୁ ନିସ୍କାସନ ପାଇଁ ବ୍ୟବସ୍ଥା କରାଯିବ ଏବଂ ଏଏସଆଇ କୃର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଦିନକୁ ଦିନ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା କିର୍ତୀରାଜିର ସୁରକ୍ଷା ପାଇଁ ଏଏସଆଇ କୃର୍ତ୍ତୃପକ୍ଷ ଠୋସ ପଦକ୍ଷେପ ନନେଲେ ଆଗକୁ ଐତିହ୍ୟର ସ୍ମାରକୀ ବହନ କରୁଥିବା ଏହି ମନ୍ଦିର ଗୁଡିକ ସଂପୂର୍ଣ୍ଣ ଲୋପ ହୋଇଯିବାର ଆଶଙ୍କା ରହିଛି ।