ଯାଜପୁରରେ କେନାଲ କାମରେ ଦୁର୍ନୀତି ଅଭିଯୋଗ । କାମ ସରିନି, ଫାଟି ଆଁ କରି ଉଠିଗଲାଣି ସିମେଣ୍ଟ କଙ୍କ୍ରିଟ୍ । ବିନା ଫଳକରେ ଚାଲିଛି ୧୧ କୋଟିରୁ ଅଧିକ ଟଙ୍କାର କାମ, ସାମ୍ନାକୁ ଆସିଲା ଠିକାଦାର ଓ ଜଳସେଚନ ଅଧିକାରୀଙ୍କୁ ମଧୁଚନ୍ଦ୍ରିକା

190

କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ କେନାଲ କଂକ୍ରିଟକରଣ କାମରେ ବଡ ଠକେଇ ଅଭିଯୋଗ ହୋଇଛି । ସାମ୍ନାକୁ ଆସିଛି ଠିକାଦାର ଓ ଜଳସେଚନ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । କାମ ସରିନି , କେନାଲର କଂକ୍ରିଟ୍ ଫାଟି ଆଁ କଲାଣି । ପ୍ରାୟ ୯ କିଲୋମିଟର କାମରୁ ୭୦ ପ୍ରତିଶତ ସ୍ଥାନରେ ଫାଟି ଗଲାଣି କଂକ୍ରିଟ୍ । ଅନେକ ସ୍ଥାନରେ ଉଠି ବି ଗଲାଣି । ବର୍ଷା ଋତୁ ସମୟରେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଯାଜପୁର ଅଂଚଳର ଚାଷୀ କୂଳ । ବୈତରଣୀ ନଦୀରୁ ଯାଜପୁର ମୁଖ୍ୟ କେନାଲରୁ ବାହାରିଥିବା ୨ ନମ୍ବର କେନାଲ ଲକ୍ଷାଧିକ ଏକର ଚାଷ ଜମିକୁ ଜଳ ଯୋଗାଇଥାଏ । ଜଳସେଚନ ବିଭାଗ ଜଳ ଯୋଗାଣ ପାଇଁ ଏହି କେନାଲରେ ପ୍ରାୟ ୧୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ କରିଛି କଂକ୍ରିଟ କରଣ କାମ ।

ଯାଜପୁର ଜିଲ୍ଲା ଜଳ ସେଚନ ବିଭାଗ ଯାଜପୁର ବ୍ଲକ ଏବଂ ଦଶରଥପୁର ବ୍ଲକ ଅଂଚଳରେ ମୋକେଇପୁର ଠାରୁ ଜାହାନପୁର ପର୍ଯ୍ୟନ୍ତ ୯ କିଲୋମିଟର କେନାଲକୁ କଂକ୍ରିଟ କରଣ କାମରେ ବିଶେଷ କରି ଏପରି ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆସିଛି । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିନା ଫଳକ ଓ କାର୍ଯ୍ୟସୂଚୀର ସୂଚନା ନଦେଇ ଠିକାଦାର ଏହି ବ୍ୟୟବହୁଳ ନିର୍ମାଣ କରୁଛନ୍ତି । କେନାଲରେ ଉଭୟ ପାଶ୍ୱର୍ ୍ ଓ ବେଡକୁ କଂକ୍ରିଟକରଣ କରାଯାଉଛି । କାମ ନସୁରୁଣୁ ସବୁ ଫାଟି ଆଁ କରିଥିବାରୁ କେନାଲରେ ବର୍ଷାଦିନେ ଅଧିକ ପାଣି ଆସିଲେ ସଂପୂର୍ଣ୍ଣ ଧସି ଯିବାର ଭୟ ସୃଷ୍ଟି କରିଛି । ସେପଟେ ବିଭାଗୀୟ ଜଳ ସେଚନ ଅଧିକାରୀଙ୍କୁ ଏ ସଂପର୍କରେ ପଚାରିବାରୁ ସେ ନିର୍ମାଣ ସଂପର୍କରେ ମୁହଁ ଖୋଲୁନାହାନ୍ତି ।