ମୋଦି ମନ୍ତ୍ରିମଣ୍ଡଳରେ ଅନୁପସ୍ଥିତ ଦୁଇ ପୁରୁଣା ସାଥୀ : ସ୍ୱାସ୍ଥ୍ୟଗତ ସମସ୍ୟାରୁ ସାମିଲ ହେଲେନାହିଁ ଜେଟଲି ଓ ସୁଷମା

151

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଗତକାଲି ଶପଥ ଗ୍ରହଣ କରିଛନ୍ତି । ତେବେ ନୂଆ ସରକାରରେ ମୋଦିଙ୍କ ପାଖରେ ଦୁଇ ଜଣ ପ୍ରମୁଖ ବ୍ୟକ୍ତିତ୍ବଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି । ମୋଦି ସରକାର-୧ରେ ଅର୍ଥମନ୍ତ୍ରୀ ରହିଥିବା ଅରୁଣ ଜେଟଲି ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଏଥର ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି । ଅରୁଣ ଜେଟଲି ଅସୁସ୍ଥତା କାରଣରୁ ନୂଆ ସରକାରରୁ ଦୂରେଇ ଯାଇଥିବାବେଳେ ସୁଷମା ସ୍ବରାଜ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିନଥିଲେ । ମୋଦିଙ୍କ ପ୍ରଥମ କାର‌୍ୟ୍ୟକାଳରେ ଜେଟଲି ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ନିର୍ବାହ କରିଥିଲେ । ମୋଦି ସରକାରଙ୍କ ପ୍ରତ୍ୟେକଟି ସଙ୍କଟରେ ଜେଟଲି ସମ୍ମୁଖରେ ରହି ଦଳକୁ ସୁରକ୍ଷା ଦେଉଥିଲେ ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାରେ ମଧ୍ୟ ଜେଟଲିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ବିମୁଦ୍ରୀକରଣ, ଜିଏସଟି, ରାଫେଲ୍ ଚୁକ୍ତିକୁ ନେଇ ମୋଦି ସରକାର ବିରୋଧରେ ଆସୁଥିବା ପ୍ରତ୍ୟେଟି ସଙ୍କଟକୁ ଜେଟଲି ସହଜରେ ମୁକାବିଲା କରିବାକୁ ସକ୍ଷମ ହୋଇଥିଲେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ମୋଦି ସରକାରରେ ତାଙ୍କର ପ୍ରଥମ କାର‌୍ୟ୍ୟକାଳରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିଥିଲେ । ମୋଦିଙ୍କ ପ୍ରଥମ କାର‌୍ୟ୍ୟକାଳରେ ସେ ୯୦ରୁ ଅଧିକ ଦେଶ ଗସ୍ତ କରିଛନ୍ତି । ବିଭିନ୍ନ ଦେଶ ସହ ମୋଦି କରିଥିବା ଦ୍ବିପାକ୍ଷିକ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଭିତ୍ତିଭୂମି ସୁଷମା ପ୍ରସ୍ତୁତ କରିଥାନ୍ତି । ବିଦେଶରେ ଯେ କୌଣସି ଭାରତୀୟ ସମସ୍ୟାର ସମ୍ମୁଖୀନ ହେଲେ ସୁଷମା ସହଯୋଗର ହାତ ବଢ଼ାଉଥିଲେ । ବିଦେଶରେ ଥିବା ଭାରତୀୟଙ୍କ ସମସ୍ୟା ସମାଧାନ ପାଇଁ ସେ ବ୍ୟକ୍ତିଗତ ସ୍ତରରେ ଆଗ୍ରହ ପ୍ରକାଶ କରି ସବୁ ମହଲରେ ପ୍ରଶଂସିତ ହୋଇଥିଲେ ।