ସିଏଏ ବିରୋଧୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଶ୍ନ : ଏପରି ଦେଶର ନାମ କୁହ, ଯେଉଁଠି ସମସ୍ତଙ୍କୁ ସ୍ୱାଗତ କରାଯାଉଛି

397

କନକ ବ୍ୟୁରୋ : ଭାରତ ସରକାରଙ୍କ ନୂଆ ନାଗରିକତା ଆଇନକୁ ବିରୋଧ କରୁଥିବା ଲୋକମାନଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ ଏହି ଆଇନ ମାଧ୍ୟମରେ ଭାରତ ସରକାର କିଛି ଦେଶହୀନ ଲୋକଙ୍କୁ ନାଗରିକତା ପ୍ରଦାନ କରିଛନ୍ତି । ନିଜ ଦେଶ ପାଇଁ ସମସ୍ୟା ସୃଷ୍ଟି ନକରି ଏହା କରାଯାଇଛି । ଏହାକୁ ସମସ୍ତେ ପ୍ରସଂଶା କରିବା ଆବଶ୍ୟକ ।

ନାଗରିକତା ପ୍ରଦାନ ସମୟରେ କେତେକ ନୀତିନିୟମ ଓ ଯୋଗ୍ୟତା ରଖାଯାଇଥାଏ । ବିଶ୍ୱର ଏପରି କୌଣସି ଦେଶନାହିଁ, ଯିଏକି ସମସ୍ତଙ୍କୁ ନାଗରିକତା ଦେଇଥାଏ । କଶ୍ମୀର ପ୍ରସଙ୍ଗରେ ଜାତିସଂଘ ମାନବ ଅଧିକାର ଆୟୋଗ (ୟୁଏନଏଚଆରସି)ର ଭାରତ ବିରୋଧୀ ଆଭିମୁଖ୍ୟ ସଂପର୍କରେ ସେ କହିଛନ୍ତି,  ଏହାର ନିର୍ଦ୍ଦେଶକ ପୂର୍ବରୁ ବି ଅନେକ ଥର ଭାରତ ସଂପର୍କରେ ଭୁଲ ମନ୍ତବ୍ୟ ଦେଇଛନ୍ତି । ସୀମାପାର ଆତଙ୍କବାଦ ପ୍ରସଙ୍ଗକୁ ୟୁଏନଏଚଆରସି ସବୁବେଳେ ଏଡ଼େଇ ଆସିଛି, ଯେପରିକି ଏହାର ପଡ଼ୋଶୀ ଦେଶ ସହିତ କୌଣସି ସଂପର୍କ ନାହିଁ । ପୂର୍ବରୁ ମଧ୍ୟ ୟୁଏନଏଚଆରସିର କଶ୍ମୀର ସଂପର୍କରେ ଭୁଲ ଆଭିମୁଖ୍ୟ ରଖିଆସିଛି ।

ଅନ୍ୟପକ୍ଷରେ ଚୀନ ନେତୃତ୍ୱାଧୀନ ଆଞ୍ଚଳିକ ସାମଗ୍ରିକ ଅର୍ଥନୈତିକ ସହଯୋଗିତା (ଆରସିଇପି) ଭାରତୀୟ ବ୍ୟବସାୟ ପାଇଁ ହିତକର ନଥିବାରୁ ଭାରତ ଏଥିରୁ ଓହରି ଯାଇଛି ବୋଲି ଜୟଶଙ୍କର କହିଛନ୍ତି ।