ବୈଜୟନ୍ତଙ୍କ ପରିବାର ଓ ବିଜେଡି ମଧ୍ୟରେ ବଢିଲା ବିବାଦ ! ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ନେଇ ବୈଜୟନ୍ତଙ୍କ ପତ୍ନୀଙ୍କୁ ଦାୟୀ କଲା ବିଜେଡି
କନକ ବ୍ୟୁରୋ : ବିଜେଡି ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢିଲା ବିବାଦ । ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୧୮ର ଆୟୋଜନରୁ ସିଆଇଆଇ ଓହରିବା ପରେ ଏହି ବିବାଦ ତେଜିଛି । ଏଥିପାଇଁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ- ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୧୮ ଆୟୋଜନ ପାଇଁ ସିଆଇଆଇକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ତେବେ ଗତ ଫେବୃଆରୀ ଯାଏଁ ରାଜ୍ୟ ସରକାରଙ୍କ ସହ ସମ୍ପୂଣ୍ଣ ବୁଝାମଣାରେ ଥିବା ସିଆଇଆଇ, ମେକ୍ ଇନ୍ ଓଡିଶା କନକ୍ଲେଭ୍ ପାଇଁ ସହଯୋଗ କରିବାକୁ ହଠାତ୍ ମନା କରିଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା, ସିଆଇଆଇ ପୂର୍ବାଂଚଳର ଚେୟାରପର୍ସନ ହେବା ପରେ, ସିଆଇଆଇର ନିଷ୍ପତିରେ ପରିବର୍ତନ ଆସିଥିବା ବିଜେଡି ଅଭିଯୋଗ କରିଛି । ୨୦୧୬ରେ ସିଆଇଆଇ ସହ ପାର୍ଟନରସିପରେ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା କନକ୍ଲେଭ୍ କରିଥିଲେ । ସେଥିରୁ ପାଖାପାଖି ସାଢେ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିଲା । ଚଳିତବର୍ଷ ନଭେମ୍ବର ୧୧ରୁ ୧୫ଯାଏଁ ମେକ୍ ଇନ୍ ଓଡିଶା କନକ୍ଲେଭ୍ -୨୦୧୮ କରିବାକୁ ସ୍ଥିର ହୋଇଛି । ସେପଟେ ସିଆଇଆଇ ମେକ୍ ଇନ୍ ଓଡିଶା କନକ୍ଲେଭରୁ ଓହରିବା ପରେ ଓଡିଶା ଷ୍ଟେଟ୍ କାଉନସିଲ୍ ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ଅନ୍ୟପଟେ, ବିଜେଡିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାଗିମଙ୍ଗତ ପଣ୍ଡା । ସେ କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିବା ନେଇ ତାଙ୍କର କିଛି ସଂପୃକ୍ତି ନାହିଁ । ସେ ନିଜେ ସିଆଇଆଇ ରାଜ୍ୟ କମିଟିରେ ନାହାଁନ୍ତି । ବର୍ତମାନ ସେ ସିଆଇଆଇ ପୂର୍ବାଂଚଳ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ।