ରାତି ପାହିଲେ ପାଣି ଚିନ୍ତା ! ପାନୀୟ ଜଳ ପାଇଁ ହନ୍ତସନ୍ତ ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳିଆ ଗ୍ରାମବାସୀ

41

କନକ ବ୍ୟୁରୋ : ପିଇବା ପାଣି ଟୋପାଏ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରି କରିଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର ଅନେକ ଅଂଚଳରେ ଏହାର ସୁଫଳ ପହଁଚିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ପିଇବା ପାଣି ଟୋପାଏ ପାଇଁ ଜିଲ୍ଲାର ହଜାର ହଜାର ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ସମସ୍ୟା । ଏମିତି ଅବସ୍ଥା ଦେଖିବାକୁ ମିଳିଛି ଜଗତସିଂହପରୁର ଜିଲ୍ଲାର ସମୁଦ୍ର କୂଳ ନିକଟସ୍ଥ ଗାଁ ଗୁଡିକରେ । ବାଲିକୁଦା, ଏରସମା ଓ କୁଜଙ୍ଗ ଆଦି ଅଂଚଳ ଅନେକ ଗାଁରେ ଉକ୍ରଟ ରୂପ ଧାରଣ କରିଛି ପାନୀୟ ଜଳ ସମସ୍ୟା । ସମୁଦ୍ର ତଟବର୍ତ୍ତୀ ଏହି ସବୁ ଅଂଚଳର ଭୂତଳ ଜଳ ଲୁଣି ହୋଇଥିବାରୁ ନଳକୂପର ପାଣି ବି ବ୍ୟବହାର ଅନୁପଯୋଗୀ । ସେଥିରେ ପୁଣି କେଉଁଠି ନଳକୂପରୁ ପାଣି ବାହାରୁ ନାହିଁ ତ କେଉଁଠି ଘଂଟା ଘଂଟା ଧରି କରିବାକୁ ପଡୁଛି ଅପେକ୍ଷା । ଫଳରେ ଦୀର୍ଘ ୪/୫ କିଲୋମିଟର ଦୂରରୁ ଚାଲି ଚାଲି ପିଇବା ପାଣି ଟୋପାଏ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା ।

କାଖରେ ପାଣିଗରା ସହ ପ୍ଲାଷ୍ଟିକ ଜାରରେ ପାଣି ଧରି ପୁରୁଷ ମହିଳା ସମସ୍ତେ ଚାଲି ଚାଲି ଯାଉଥିବାର ଦୃଶ୍ୟ ସବୁ  ନିତି ଦିନିଆ କଥା । ଅନେକ ସମୟରେ ଗାଡିଆ ପୋଖରୀର ଦୂଷିତ ପାଣି ମଧ୍ୟ ବ୍ୟବହାର କରିବାକୁ ପଡୁଛି ଲୋକମାନଙ୍କୁ । ଯେଉଁଥି ପାଇଁ ଝାଡା, ବାନ୍ତି ଓ ଜଣ୍ଡିସ୍ ବ୍ୟାପୁଥିବା କହିଛନ୍ତି ଗ୍ରାମବାସୀ । ପୁଣି ଏହି ପାଣିରେ ଗାଧୋଇବା ସହ ଶୌଚ ଇତ୍ୟାଦି ଯୋଗୁ ଚର୍ମରୋଗ ସମସ୍ୟା ମଧ୍ୟ ଦେଖାଦେଉଛି ।

ତିନୋଟି ବ୍ଲକର ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ପଂଚାୟତରେ ଦୀର୍ଘ ବର୍ଷ ହେଲାଣି ଲାଗି ରହିଛି ପାନୀୟ ଜଳ ସମସ୍ୟା । କିଛି ଅଂଚଳକୁ ପାଇପ୍ ଲାଇନ୍ ଯୋଗାଇ ଦିଆଯାଇଥିଲେ ମଧ୍ୟ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଁଚିବା ସମ୍ଭବ ହେଉନି । ନିର୍ବାଚନ ବେଳେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିବା ନେତାମାନଙ୍କର ବି ଗାଁରେ ପାଦ ପଡୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ଅବଶ୍ୟକୀୟ ପଦକ୍ଷପ ଗ୍ରହଣ କରାଯାଉଥିବା କହିଛନ୍ତି ଜିଲ୍ଲା ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ।