ଅଳିଆଗଦାରେ ମହାପ୍ରଭୁଙ୍କ ମହାପ୍ରସାଦ : ମର୍ମାହତ ଜଗନ୍ନାଥପ୍ରେମୀ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ଓ ଭକ୍ତ ମହଲ ଦାବି

438

କନକ ବ୍ୟୁରୋ : ମହାପ୍ରଭୁଙ୍କ ମହାପ୍ରସାଦକୁ ଅଳିଆଗଦାରେ ପିଙ୍ଗାଯାଉଛି । ଅନ୍ୟ କେଉଁଠି ନୁହେଁ, ଖୋଦ୍ ଶ୍ରୀକ୍ଷେତ୍ରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି । ପୁରୀ ରେଳବାଇ ହବିଷ୍ୟାଳି ଶିବିରରେ ଏଭଳି ଦୃଶ୍ୟ ଶ୍ରୀଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କୁ ମର୍ମାହତ କରିଛି । ଯିଏ ବି ଏ ଭଳି କରୁଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥପ୍ରେମୀ, ସେବାୟତ ଓ ଭକ୍ତ ମହଲ ଦାବି କରିଛି ।

ମହାପ୍ରସାଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଲ୍ୟ । ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ଏହି ଅଗାଧ ବିଶ୍ବାସ ବିଶ୍ବବାସୀଙ୍କ ମନରେ ସର୍ବଦା ଜୀବନ୍ତ ରହିଛି । ମହାପ୍ରସାଦ ହେଉଛି ଏକମାତ୍ର ପ୍ରସାଦ, ଯେଉଁଠି ସଙ୍କୁଡ଼ି ବୋଲି କିଛି ଶଦ୍ଦ ନଥାଏ। ମହାପ୍ରସାଦରୁ ହିଁ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ତଥାପି ହବିଷ୍ୟାଳି ଶିବିରରେ ଏହାକୁ ଅସମ୍ମାନ କରାଯାଉଥିବା ଘଟଣାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ତିନିଟି ହବିଷ୍ୟାଳି ଶିବିର ଖୋଲି ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ରେଳୱେ ହବିଷ୍ୟାଳି ଶିବିରରେ ଦୈନିକ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଅଧିକାଂଶ ସମୟରେ ଏଠାରେ ମହାପ୍ରସାଦ ପୁରୀ ପୌରସଂସ୍ଥା ଯୋଗାଇ ଦେଇଥିବା ଡଷ୍ଟ୍‌ବିନରେ ପିଙ୍ଗାଯାଉଛି । କେବଳ ବଳକା ନୁହେଁ, କୁଡ଼ୁଆ ସହ ମହାପ୍ରସାଦକୁ ଏଠାରେ ଫିଙ୍ଗି ଦିଆଯାଉଛି ।  ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

ମହାପ୍ରଭୁଙ୍କ ଏହି ଅମୂଲ୍ୟ ମହାପ୍ରସାଦକୁ ଏଭଳି ଅଳିଆ ଗଦାରେ ଫିଙ୍ଗି ଦିଆଯିବା, କେବଳ ମହାପ୍ରସାଦ ନୁହେଁ, ଶ୍ରୀଜଗନ୍ନାଥ ଓ ଏହାର ସଂସ୍କୃତିକୁ ଅପମାନ ବୋଲି ଅଭିଯୋଗ କରିଛନ୍ତି । ଯଦି ଆଗକୁ ଏ ଦିଗରେ କିଛି ପଦକ୍ଷେପ ନିଆ ନଯାଏ, ଭକ୍ତମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।