ଭାବରେ ବନ୍ଧା କାଳିଆ । ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ଦୁଃଖୀରଙ୍କୀଙ୍କ କଷ୍ଟ ନିରାରଣ ପାଇଁ ସର୍ବଦା ପ୍ରସ୍ତୁତ । ଦୀନବନ୍ଧୁ, ଦୁଃଖନାଶନ ବଡ଼ ଠାକୁର କାହାକୁ ନିରାଶ କରନ୍ତିନି । ଜଗା ଦୁଆରୁ କେହି ଖାଲି ହାତରେ ଫେରେନି । ହେଲେ ପ୍ରତିବଳଦରେ ଭକ୍ତ ପାଖରେ ଭକ୍ତି ଟିକକ ଚାହେଁ କାଳିଆ । ଭକ୍ତର ଦୁଃଖ ଦେଖିପାରନ୍ତିନି ମହାପ୍ରଭୁ । ଭକ୍ତଙ୍କ ପାଇଁ ସବୁବେଳେ ବାହା ମେଲାଇ ବସିଥିବା ଜଗା ମାୟାରେ କେହି ପଡ଼ିପାରିବେନି । କେତେବେଳେ ଯେ ଡୋରି ଲଗାଇ ନିଜ ପାଖକୁ ଡକାଇନେବ ସେକଥା ଜାଣିବାକୁ ବେଳ ନାହିଁ । କାଳିଆ ଦର୍ଶନ ପାଇଁ ଦେଶ ବିଦେଶରୁ ଅନେକ ଭକ୍ତ ଛୁଟି ଆସନ୍ତି । ଜଗାର ବଡ଼ ପରବ ରଥଯାତ୍ରାରେ ପୁରୀରେ ବେଶୀ ଭିଡ଼ ଜମେ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୁଏ । ଦେଶ ବାହାରେ ବି କାଳିଆର ଅନେକ ଭକ୍ତ । କେବଳ ଓଡ଼ିଶାରେ ନୁହେଁ, ସାରା ବିଶ୍ୱରେ ତାଙ୍କର ପ୍ରସିଦ୍ଧି ରହିଛି । ଏପରି ଜଣେ ଦରିଆ ପାରି କାଳିଆ ଭକ୍ତ ହେଲେ ଇଟ୍ଟାଲୀର ସନାତନୀ ।
କାଳିଆ ପ୍ରେମରେ ବିଦେଶିନୀ । କାଳିଆ ପ୍ରେମୀ ସନାତନୀ । ଜଗା ପ୍ରେମରେ ବିହ୍ୱଳ, ବିଭୋର ସନାତନୀ । ୧୯୯୧ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ପୁରୀ ଆସୁଛନ୍ତି । ରଥଯାତ୍ରା ଆସିଲେ ମନ ଛାଟିପିଟି ହୁଏ । କାଳିଆକୁ ଦେଖିବାକୁ ମନ ବ୍ୟାକୁଳ ହୋଇଯାଏ । ରଥରେ କାଳିଆ ମୁହଁକୁ ଟିକେ ଦେଖିବାକୁ ଦରିଆ ପାରି କରି ଆସନ୍ତି ସନାତନୀ । ଇଟ୍ଟାଲୀୟ ବାସିନ୍ଦା ହେଲେ ମଧ୍ୟ ତାଙ୍କର ନାଁ ସନାତନୀ । ଓଡ଼ିଆ ନାମ । କେବଳ ସନାତନୀ ନୁହେଁ ତାଙ୍କ ବାପାମା’ ମଧ୍ୟ ଜଗନ୍ନାଥ ଭକ୍ତ । ସନାତନୀଙ୍କ ବାପାମା’ ବୈଷ୍ଣବ ଧର୍ମ ଗ୍ରହଣ କରିଛନ୍ତି । ତେଣୁ ବୈଷ୍ଣବ ଧର୍ମ ଆଧାରରେ ତାଙ୍କ ନାଁ ସନାତନୀ ରଖିଥିଲେ । କେବଳ ଏତିକି ନୁହେଁ ସନାତନୀ ମଧ୍ୟ ତାଙ୍କ ଝିଅ ନାଁ ମଧ୍ୟ ଦମୟନ୍ତୀ ରଖିଛନ୍ତି । ଜଗନ୍ନାଥ ସଂସ୍କୃତିରେ ତାଙ୍କ ପୁରା ପରିବାର ଜଡ଼ିତ । ତାଙ୍କ ବାପାମା’ ଜଗନ୍ନାଥଙ୍କ ଭକ୍ତ । ସେମାନେ ଜଗନ୍ନାଥଙ୍କ ପାଇଁ ଓଡ଼ିଶା ଆସନ୍ତି । ଜଗନ୍ନାଥ ସଂସ୍କୃତିକୁ ବେଶ ଭଲ ପାଆନ୍ତି ।
ସନାତନୀ ଏବେ ଅଷ୍ଟ୍ରେଲିଆରେ ରୁହନ୍ତି । ଆଉ ସେଠାରେ ପ୍ରତିଦିନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରନ୍ତି । ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ । ଓଡ଼ିଶୀ ନୃତ୍ୟ ଅଭ୍ୟାସ ପୂର୍ବରୁ ସବୁଦିନ ଜଗନ୍ନାଥ ଜଣାଣ ଗାଆନ୍ତି ସନାତନୀ । ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଭଗବାନ ଜଗନ୍ନାଥଙ୍କଙ୍କ ଆଉ ଅତି ନିକଟତର ହୋଇପାରିଛ ବୋଲି ସେ କହିଛନ୍ତି ।