ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ : ରାଜ୍ୟପାଳ ଦେଲେ ପଦ ଓ ଗୋପନୀୟତାର ଶପଥପାଠ

204

କନକ ବ୍ୟୁରୋ :  ୱାଇଆରଏସ୍ କଂଗ୍ରେସ ମୁଖ୍ୟ ଆନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଜଗନ ମୋହନ ରେଡ୍ଡୀ । ରାଜ୍ୟପାଳ  ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିଜୟୱାଡାର ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମରେ ଆଜି ଶପଥ ନେଇଛନ୍ତି । ତେବେ ଶପଥ ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏକ ଖୋଲା ଜିପରେ ଜଗନ ଆସିଥିଲେ ଓ ସମବେତ ଜନତାଙ୍କୁ ନମସ୍କାର କରୁଥିବାର ଦେଖିବାକୁ ମିଳିଥିଲା ।

୧୯୭୨ ମସିହା ଡିସେମ୍ବର ୨୧ ତାରିଖରେ ଜଗନ ମୋହନ ରେଡ୍ଡୀ ଜନ୍ମଗ୍ରହଣ କରିଥିଲେ । ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସୁପୁତ୍ର । ପୂର୍ବରୁ ଜଗନ କଡପା ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଥିଲେ । ଚଳିତ ନିର୍ବାଚନରେ ୱାଇଏସଆର୍ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ୧୫୧ଟି ଆସନରେ ବିଜୟ ଲାଭ କରିଛି

ପ୍ରତିଦ୍ୱନ୍ଦୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ୨୩ ଟି ଆସନରେ ସୀମିତ ରହିଯାଇଛି । ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ୨୫ଟି ଆସନରୁ ୨୨ଟି ଆସନ ହାତେଇଛି । ଜଗନଙ୍କ ଶପଥ ଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡ଼ିଏମକେ ସଭାପତି ଏମକେ ଷ୍ଟାଲିନ ପ୍ରମୁଖ ଯୋଗ ଦେଇଥିଲେ ।