ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶରେ ଭାବି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ : ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କଲେ ନିମନ୍ତ୍ରଣ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ଜଣାଇଲେ ଦାବି

365

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଜଗନମୋହନ । ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିବା ସହ ଆଗାମୀ ୩୦ ତାରିଖରେ ଶପଥ ସମାରୋହରେ ଯୋଗଦେବା ପାଇଁ ବିଜୟୱାଡା ନିମନ୍ତ୍ରଣ କରିଛନ୍ତି ୱାଇଏସଆର କଂଗ୍ରେସ ମୁଖ୍ୟ । ସାରା ଦେଶରେ ଏନଡିଏର ପ୍ରଦର୍ଶନ ପାଇଁ ମୋଦିଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ଦାବି ଜଣାଇଛନ୍ତି ଜଗନମୋହନ । କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେବାପରେ ଆନ୍ଧ୍ରର ଦାବି ସଂପର୍କରେ ବିଚାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ଆନ୍ଧ୍ରରେ ଚାଲୁ ରହିଥିବା ଓ ନୂତନ ପ୍ରକଳ୍ପଗୁଡକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ଚମତ୍କାର ପ୍ରଦର୍ଶନ କରିଛି ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ । ରାଜ୍ୟ ବିଧାନସଭାର ୧୭୫ ଆସନରୁ ୧୫୧ଟିରେ କବ୍ଜା କରିଛି ୱାଇଏସଆର କଂଗ୍ରେସ । ମୋଟ୍ ୨୫ ଲୋକସଭା ଆସନରୁ ୨୨ଟି ବିଜୟୀ ହୋଇଛନ୍ତି ୱାଇଏସଆର କଂଗ୍ରେସ ପ୍ରାର୍ଥୀ ।

ସେପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଉପରାଷ୍ଟପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ସମ୍ପର୍କରେ ଉପରାଷ୍ଟପତିଙ୍କ ସହ କଥା ହେବା ସହିତ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ ବି କରିଛନ୍ତି । ନୂଆଦିଲ୍ଲୀରେ ବାସଭବନରେ ଉପରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତ କରି ବେଶ୍ କିଛି ସମୟ ଆଲୋଚନା କରିଥିଲେ ।