କନକ ବ୍ୟୁରୋ : ଜଗା ଖେଳୁଛି । କଟକ ବଡ ମେଡିକାଲ ୱାର୍ଡ ବାହାରେ ବୁଲୁଛି ଓ ଲୋକଙ୍କ ସହ କଥା ବି ହେଉଛି । କିଛିଟା ଦୁଷ୍ଟାମି କରୁଛି । କିନ୍ତୁ ବଳିଆ ଆଇସିୟୁରେ । ଆଜି ବିଶେଷଜ୍ଞ ଡାକ୍ତରୀ ଦଳ ବଳିଆର ଆଖି ପରୀକ୍ଷା କରିଥିଲେ । ବଳିଆର ବାମ ଆଖିର ପତା ପଡୁନି । ଶୋଇଲେ ମଧ୍ୟ ଆଖି ଅଳ୍ପ ଖୋଲାରହୁଛି । ଦିଲ୍ଲୀ ଏମ୍ସରେ ଥିବାବେଳଠାରୁ ଏହି ସମସ୍ୟା ରହିଛି । ଏମ୍ସ ଡାକ୍ତରୀ ଦଳ ମଲମ ଲଗାଇ ଶୋଇବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ବଳିଆର ଆଖି ଚିକିତ୍ସା ଚାଲିବ । ସ୍ବଚ୍ଛପଟଳର ତଳଭାଗରେ ଦାଗ ରହିଛି । ଆଖି ଏଭଳି ଖୋଲା ରହିଲେ ଏକ ଦାଗ ପଡିଥାଏ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ଜଣାପଡିଛି ।
ଚନ୍ଧୁ ବିଶେଷଜ୍ଞଙ୍କ ସହ ପଲ୍ୟୁମୁନାରି ମେଡିସିନ୍, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ବିଭାଗ ବିଶେଷଜ୍ଞ ଡାକ୍ତରଙ୍କ ସହ ଅଧୀକ୍ଷକ ପ୍ରମୁଖ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ବଳିଆକୁ ଜ୍ବର ଆସୁଥିବା ଓ ପୁଣି ଜ୍ବର ଛାଡି ଯାଉଥିବାରୁ ଏହା ଚିନ୍ତାର ବିଷୟ ହୋଇଛି । ଯାହାକୁ ନେଇ ଏମ୍ସ ଡାକ୍ତରୀ ଦଳ ଓ ଏସ୍ସିବିରେ ବିଶେଷଜ୍ଞ ଦଳଙ୍କ ଭିତରେ ଆଜି ପୁଣି ଆଲୋଚନା କରାଯାଇଥିଲା । ଖୁବ୍ଶୀଘ୍ର ଏମ୍ସ ବିଶେଷଜ୍ଞ ଦଳ ଓ ଏସ୍ସିବି ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଏକ ହ୍ବାଟସ୍ ଅପ୍ ଗ୍ରୁପ୍ ତିଆରି କରାଯିବ । ସେଥିରେ ଚିକିତ୍ସା ସଂପର୍କରେ ବିଚାର ବିମର୍ଶ କରାଯିବ । ଏମ୍ସର ନର୍ସିଂ କର୍ମଚାରୀ ହେଉ ବା ଡାକ୍ତର କେହି ବି ଭୁଲିପାରୁନାହାନ୍ତି ଜଗା-ବଳିଆଙ୍କୁ । ସେମାନେ ଅନେକ ସମୟରେ ଭିଡିଓ କଲ୍ କରି କଥା ହେଉଛନ୍ତି ଜଗା ସହିତ ।