ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ ୨ : ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

299

କନକ ବ୍ୟୁରୋ : ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ ।  ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଇସ୍ରୋର ପୂର୍ବ ଆକଳନ ପରି ଆଜି ଅର୍ବିଟରରୁ ଅଲଗା ହୋଇଯାଇଛି ଲାଣ୍ଡର ବିକ୍ରମ । ଚନ୍ଦ୍ର ଅଭିଯାନରେ ଚନ୍ଦ୍ର ଯାନ ୨ରୁ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ସବୁଠାରୁ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଯାହାକୁ ସଫଳତାର ସହ ସଂପାଦନ କରିଛି ଇସ୍ରୋ ।

ଗତକାଲି ପଞ୍ଚମ ତଥା ଚୂଡାନ୍ତ କକ୍ଷ ପଥରେ ପ୍ରବେଶ କଲାପରେ ଆଜି ଅର୍ବିଟରରୁ ଅଲଗା ହୋଇଛି ଲାଣ୍ଡର୍ ବିକ୍ରମ ।  ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରକୃଷ୍ଟ ସମୟ ଧୀରେ ଧୀରେ ପାଖେଇ ଆସୁଛି । ଚନ୍ଦ୍ରପୃଷ୍ଠର ନିକଟତର ହୋଇଚାଲିଛି ଚନ୍ଦ୍ରଯାନ । ଦୀର୍ଘ ୪୨ ଦିନର ଯାତ୍ରା ପରେ ଆଜି ଦିନ ୧୨ ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଅର୍ବିଟର ଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ  । ୨୦ ଘଣ୍ଟା ପର୍ଯ୍ୟନ୍ତ ବିକ୍ରମ ଲ୍ୟାଣ୍ଡର ଅର୍ବିଟରର ପଛେ ପଛେ ଚନ୍ଦ୍ର  ଚାରିପଟେ ୨କିମି ପ୍ରତି ସେକେଣ୍ଡ ଘୁରି ବୁଲିବ । ଏବେ ବିକ୍ରମ ଲାଣ୍ଡର ୧୧୯ କିମି ଏପୋଜି ଓ ୧୨୭ କିମି ପେରୋଜିରେ ଘୁରୁଛି ।

ଇସ୍ରୋର ଆକଳନ ଅନୁସାରେ ଏବେଠାରୁ ଆରମ୍ଭ ହୋଇଯିବ ଲାଣ୍ଡର ବିକ୍ରମର ଅବତରଣର ଅବଗଣନା । ୪ ଦିନ ଧରି ଗୋଲାକାର ପଥରେ ଚନ୍ଦ୍ର ଚାରିପଟେ ମାତ୍ର ୧୦୦ କିଲୋମିଟର ଦୂରତାରେ ଘୁରି ବୁଲିବ ଲାଣ୍ଡର । ଧୀରେ ଧୀରେ ଲାଣ୍ଡରର ଗତି ନିୟନ୍ତ୍ରିତ ହେବ । ଯଦି ସବୁକିଛି ଠିକ୍ ଭାବେ ଚାଲେ, ୭ ତାରିଖ ରାତି ପ୍ରାୟ ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଲାଣ୍ଡର । ତେବେ ଅବତରଣ କରିବାର ଶେଷ ୧୫ ମିନିଟକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି, ଯାହାକି ଏହି ମିସନ୍ର ସବୁଠୁ ଅଧିକ ଜଟିଳ ପ୍ରକ୍ରିୟା । ସବୁକିଛି ଯୋଜନା ମୁତାବକ ଚାଲିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଏହାପରେ ଲାଣ୍ଡର ବିକ୍ରମରୁ ଅଲଗା ହୋଇଯିବ ରୋଭର ‘ପ୍ରଜ୍ଞାନ୍’ । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ଧରି ଅନୁଧ୍ୟାନ କରିବ ରୋଭର । ଫଟୋ ଓ ତଥ୍ୟ ଲାଣ୍ଡରକୁ ପଠାଇବ । ଲାଣ୍ଡରରୁ ଅର୍ବିଟର ଓ ଅର୍ବିଟରରୁ ଇସ୍ରୋକୁ ମିଳିବ ତଥ୍ୟ । ଏହି ଐତିହାସିକ ମୁହୁର୍ତକୁ ଅପେକ୍ଷା କରିଛି ସାରା ଦେଶ । କେବଳ ଭାରତ ନୁହେଁ ଇସ୍ରୋର ଏହି ଅଭିଯାନର ସଫଳତାକୁ ସାରା ବିଶ୍ୱ ଅନେଇ ବସିଛି ।