ଚାନ୍ଦ ଛୁଇଁବାକୁ ପ୍ରସ୍ତୁତ ଲାଣ୍ଡର ବିକ୍ରମ : ୩୫ କିମି ଦୂରରେ ଘୁରୁଛି, ୭ତାରିଖ ଅବତରଣ ପାଇଁ ଆରମ୍ଭ ହେଲା କାଉଂଟଡ଼ାଉନ

627

କନକ ବ୍ୟୁରୋ : ଚାନ୍ଦ ଛୁଇଁବାକୁ ପ୍ରସ୍ତୁତ ଲାଣ୍ଡର ବିକ୍ରମ । ଚାନ୍ଦର ସବୁଠାରୁ ନିକଟତମ କକ୍ଷରେ ଘୁରୁଛି ବିକ୍ରମ ଲାଣ୍ଡର । ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ । ଆଜି ଦ୍ୱିତୀୟ ଥର ପାଇଁ ଲାଣ୍ଡରର କକ୍ଷପଥ ବଦଳିବ । ବର୍ତ୍ତମାନ ବିକ୍ରମ ଲାଣ୍ଡର କେବଳ ୩୫ କିମି ଦୂରରେ ରହିଛି । ପାଖାପାଖି ୪୫ ଘଣଟ୍ା ପରେ ପରେ ବିକ୍ରମ ଲାଣ୍ଡର ଜହ୍ନର ଦକ୍ଷିଣ ଧ୍ରୁବ ଉପରେ ଅବତରଣ କରିବ । ଏବେ ବିକ୍ରମ ଲାଣ୍ଡ ଚାନ୍ଦର ଚାରି ପଟୁ ୩୫ କିମି ଏପୋଜି ଓ ୧୦୧ କିମି ପୋରାଜି ଅର୍ବିଟରେ ଘୁରୁଛି । ବିକ୍ରମ ଲାଣ୍ଡର ଭଲରେ ଗତି କରୁଛି ବୋଲି ଇସ୍ରୋ ବୈଜ୍ଞାନିକ ଠିକରେ ଗତି କରୁଛି । ଚନ୍ଦ୍ରର ଆହୁରି ନିକଟତର ହେବା ସହ ଦକ୍ଷିଣ ମେରୁରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ସେପ୍ଟେମ୍ବର ୬ ଓ ୭ ତାରିଖ ରାତିର ସେହ ଐତିହାସିକ ମୁହର୍ତ୍ତ ପାଇଁ ଆରମ୍ଭ ହେଲା କାଉଂଟଡାଉନ୍ ।  ଇସ୍ରୋ ଯେପରି ସିଗନାଲ ଦେଉଛି, ସେହି ଅନୁରୂପ କାମ କରୁଛି ଚନ୍ଦ୍ରାଯାନ-୨ । କକ୍ଷପଥ ବଦଳାଇବାକୁ ଲାଣ୍ଡରର ଇଂଜିନକୁ ଇସ୍ରୋର କଂଟ୍ରୋଲ ରୁମରୁ ତିନି ସେକେଣ୍ଡ ଖୋଲିବା ପାଇଁ ସିଗନାଲ୍ ଦେଇଥିଲେ ଇସ୍ରୋର ବୈଜ୍ଞାନିକ । ବୈଜ୍ଞାନିକମାନେ ଯେପରି ଚାହୁଁଥିଲେ, ସେହି ଅନୁରୂପ କାମ କରିଥିଲା ଲାଣ୍ଡର । ସୋମବାର ଦିନ ଅର୍ବିଟରରୁ ଲାଣ୍ଡରକୁ ଅଲଗା କରିବା ପରେ ବଦଳାଇ ଦିଆଯାଇଛି ଏହାର କକ୍ଷପଥ । ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିବେ ଇସ୍ରୋର ବୈଜ୍ଞାନିକ । ସବୁ କିଛି ଠିକ୍ ଥିଲେ ଆରମ୍ଭ ହେବ ଅବତରଣ ପାଇଁ ପ୍ରସ୍ତୁତି । ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା ଆସିବ ସେହି ପ୍ରତୀକ୍ଷିତ ସମୟ । ଯାହାକୁ କେବଳ ଭାରତବାସୀ ନୁହଁନ୍ତି ନଜର ରଖିଛି ସାରାବିଶ୍ୱ । ୬ ଓ ୭ ତାରିଖ ମଧ୍ୟ ରାତିରେ ଚନ୍ଦ୍ରର ମାଟି ଛୁଇଁବ ବିକ୍ରମ ଲାଣ୍ଡର ।

୩୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଲାଣ୍ଡର ବିକ୍ରମ ଖସିବା ଆରମ୍ଭ କରିବ, ସେହି ୧୫ ମିନିଟ୍ ଉପରେ ନିର୍ଭର କରିବ ଇସ୍ରୋର ମହତ୍ୱାକାଂକ୍ଷୀ ମିସନର ସଫଳତା । ପ୍ରତି ସେକେଣ୍ଡରେ ୨ ମିଟର ବେଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଅବତରଣ କରିବାର ୨ ଘଂଟା ପରେ ଅର୍ଥାତ ୩ଟା ୫୫ ମିନିଟରେ ଲାଣ୍ଡରର ଦ୍ୱାର ଖୋଲିଯିବ । ଆଉ ଏହା ଭିତରେ ଥିବା ୬ ଗୋଡ଼ ବିଶିଷ୍ଟ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ସୋଲାର ପ୍ୟାନେଲରୁ ଶକ୍ତି ନେଇ ପ୍ରତି ସେକେଣ୍ଡ ମାତ୍ର ୧ ସେଂଟିମିଟର ଗତିରେ ରୋଭର ପ୍ରଜ୍ଞାନ ଅନୁଧ୍ୟାନ କରିବ । ୧୪ ଦିନରେ ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ସହ ଇସ୍ରୋକୁ ତଥ୍ୟ ଓ ଫଟୋ ପଠାଇବ ରୋଭର । ଇସ୍ରୋର ଏହି ଚନ୍ଦ୍ର ମିସନ୍ ସଫଳ ହେଲେ ମହାକାଶ ବିଜ୍ଞାନରେ ଇତିହାସ ରଚିବ ଦେଶ । ବିଶ୍ୱର ୪ ଟି ପ୍ରମୁଖ ଦେଶ ମଧ୍ୟରେ ସ୍ଥାନ ପାଇବ ଭାରତ ।