ଆସନ୍ତାକାଲି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରାୟନ-୨ : ୧୩ଦିନରେ ୫ଥର କରିବ ପ୍ରଦକ୍ଷଣ

250

କନକ ବ୍ୟୁରୋ : ଭାରତର ଚନ୍ଦ୍ରାୟନ-୨ ଆସନ୍ତା କାଲି ସକାଳ ୮ଟା ୩୦ ରୁ ୯ଟା ୩୦ ମିନିଟ ମଧ୍ୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇବ । ଜୁଲାଇ ୨୨ ତାରିଖ, ଅପରାହ୍ଣ ୨ଟା ୪୩ ମିନିଟରେ ଚନ୍ଦ୍ରାୟନ-୨ ଲଂଚ ହେବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, କେଉଁଠି ପହଁଚିଛି ଭାରତର ସ୍ପେସ୍-କ୍ରାଫ୍ଟ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଛଡାଯାଇଥିବା ଚନ୍ଦ୍ରାୟନ-୨ ପୃଥିବୀ କକ୍ଷପଥରେ ପାଂଚ ଥର ବୁଲିବା ପରେ ଆସନ୍ତାକାଲି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରାୟନ-୨ । ଚନ୍ଦ୍ରର ଆକର୍ଷଣରେ ତା’ର କକ୍ଷପଥରେ ପ୍ରଦକ୍ଷଣ କରିବ ଚନ୍ଦ୍ରଯାନ ।

୧୩ ଦିନର ଯାତ୍ରାରେ ଚନ୍ଦ୍ର ଚାରିପଟେ ୫ଥର ଘୁରି ବୁଲିବ । ୧୦୦ କିଲୋମିଟର ବୃତ୍ତାକାର କକ୍ଷପଥରେ ଜାରି ରହିବ ଚନ୍ଦ୍ରାୟନ-୨ର ପ୍ରଦକ୍ଷଣ । ଏହି ପର୍ଯ୍ୟନ୍ତ ଅର୍ବିଟର, ଲାଣ୍ଡର ଓ ରୋଭର ଏକାଠି ଯାତ୍ରା କରିବେ । ସେପ୍ଟେମ୍ବର ୩ ତାରିଖ ବେଳକୁ ଚନ୍ଦ୍ରାୟନ ବୃତାକାର ପଥରେ ଘୁରି ବୁଲୁଥିବା ବେଳେ ଅର୍ବିଟର ଠାରୁ ଅଲଗା ହୋଇଯିବ ଲାଣ୍ଡର ‘ବିକ୍ରମ’ । ଅଲଗା ହେବା ପରେ ସକ୍ରିୟ ହୋଇଯିବ ଲାଣ୍ଡର । ଚନ୍ଦ୍ର ପୃଷ୍ଠର ନିମ୍ନ କକ୍ଷପଥରେ ପରିକ୍ରମଣ କରିବ ଲାଣ୍ଡର । ନୂଆ କକ୍ଷପଥରେ ଏହା ପ୍ରାୟ ୪ ଦିନ ବୁଲିବ । ଏହା ପରେ ସେପ୍ଟେମ୍ବର ୭ ତାରିଖରେ ଲାଣ୍ଡରର ଗତି ନିୟନ୍ତ୍ରିତ ହେବା ପରେ ଚନ୍ଦ୍ର ପୃଷ୍ଠରେ ଧୀର ଅବତରଣ କରିବ ରୋଭରକୁ ନେଇ ଯାଉଥିବା ଲାଣ୍ଡର ।

ଅବତରଣ କରିବା ପୂର୍ବରୁ ଶେଷ ୧୫ ମିନିଟ ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ରହିବ । ଏହି ୧୫ ମିନିଟକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି, ଯାହାକି ମିସନ୍ର ସବୁଠୁ ଅଧିକ ଜଟିଳ ପ୍ରକ୍ରିୟା । ସବୁକିଛି ଯୋଜନା ମୁତାବକ ଚାଲିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଏହାପରେ ଲାଣ୍ଡର ବିକ୍ରମରୁ ଅଲଗା ହୋଇଯିବ ରୋଭର ‘ପ୍ରଜ୍ଞାନ୍’ । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ଧରି ଅନୁଧ୍ୟାନ କରିବ ରୋଭର । ଫଟୋ ଓ ତଥ୍ୟ ଲାଣ୍ଡରକୁ ପଠାଇବ । ଲାଣ୍ଡରରୁ ଅର୍ବିଟର ଓ ଅର୍ବିଟରରୁ ଇସ୍ରୋକୁ ମିଳିବ ତଥ୍ୟ ।