ପ୍ରେମର ମହଲରେ ବୁଲିଲେ ପରଦେଶୀ ବନ୍ଧୁ ! ତାଜମହଲ ଦେଖିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

56

କନକ ବ୍ୟୁରୋ : ପ୍ରେମର ପ୍ରତୀକ ତାଜମହଲ ବୁଲିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ଭାରତ ଗସ୍ତର ତୃତୀୟ ଦିନରେ ଆଜି ପ୍ରେମର ପ୍ରତୀକ ତାଜମହଲ ବୁଲି ଦେଖିଛନ୍ତି ନେତାନ୍ୟାହୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ସାରା ମଧ୍ୟ ତାଜମହଲ ଯାଇ ବୁଲି ଦେଖିଛନ୍ତି । ଇସ୍ରାଏଲ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଜମହଲ ବୁଲି ଦେଖିବା ପରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଇସ୍ରାଏଲ ଦମ୍ପତିଙ୍କର ଲଂଚ କାର୍ଯ୍ୟକ୍ରମ ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ତାଜମହଲ ଗସ୍ତ ପାଇଁ ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିଥିଲା । ନେତାନ୍ୟାହୁଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା ।

ସୂଚନାଯୋଗ୍ୟ ଛଅଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନକୁ ଭାରତ ପାଇଁ ଅଧିକ ସ୍ମରଣୀୟ କରିଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ନୈଶ୍ୟଭୋଜିରେ ପ୍ରଥମ ଦିନର ଗସ୍ତ ସାରିଥିବା ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା । ପରେ ସେମାନେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରୁ ଆସି ହାଇଦ୍ରାବାଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କୃଷି, ପ୍ରତିରକ୍ଷା, ବାଣିଜ୍ୟ, ଖଣିଜ ତୈଳ ଏବଂ ସାଇବର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ୯ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ପରେ ଉଭୟ ରାଷ୍ଟ୍ରନେତା ଗଣମାଧ୍ୟମ ଆଗରେ ମିଳିତ ବିବୃତି ରଖିଥିଲେ ।

ସେହିପରି ଭାରତକୁ ପରିଭ୍ରମଣରେ ଆସିଥିବା ନେତାନ୍ୟାହୁଙ୍କୁ ମୋଦି ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଦୁଇ ଦେଶର ମଙ୍ଗଳ ପାଇଁ ଉଭୟେ ଉଦ୍ୟମ କରିବେ ବୋଲି ଆଜିର ଦ୍ୱିପାକ୍ଷିକ ଆଲୋଚନା ଏବଂ ରାଜିନାମା ସ୍ୱାକ୍ଷରରୁ ସ୍ପଷ୍ଟ ହୋଇଛି ବୋଲି ମୋଦି କହିଛନ୍ତି । ଇସ୍ରାଏଲର ଜ୍ଞାନକୌଶଳ ଏବଂ ସାମରିକ ଯନ୍ତ୍ରାଂଶ ଆହରଣ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ମୋଦି ଇସ୍ରାଏଲୀ ନିବେଶକମାନଙ୍କୁ ଆହ୍ଵାନ କରିଥିଲେ । ତେବେ ନେତାନ୍ୟାହୁଙ୍କ ପରି ରାଷ୍ଟ୍ରନେତାଙ୍କ ଉଦ୍ୟମରେ ଇସ୍ରାଏଲ ସହ ଭାରତର ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ ବୋଲି ମୋଦି କହିଛନ୍ତି ।