ଅଦିନିଆ ରଥଯାତ୍ରା କରିବନି ଇସ୍କନ : ନଭେମ୍ବର ୧୭ ପରିବର୍ତ୍ତେ ପୁରୀ ବିଧି ଅନୁସାରେ ଆଷାଢ଼ ଦ୍ୱିତୀୟା ତିଥିରେ ରଥଯାତ୍ରା କରିବା ପାଇଁ ରାଜିହେଲେ ଲୁଧିଆନା ଇସ୍କନର କର୍ତ୍ତୃପକ୍ଷ

244

କନକ ବ୍ୟୁରୋ : ଚାପ ଆଗରେ ନଇଁଲା ଇସ୍କନ । ଆସନ୍ତା ନଭେମ୍ବର ମାସରେ ପଂଜାବର ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାର ନିଷ୍ପତିରୁ ଓହରିଛି ଇସ୍କନ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ସହ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛି ଇସ୍କନ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଇସ୍କନର ଗଭୀର ସମ୍ମାନ ରହିଛି । ଏହାକୁ ଅବମାନନା କରିବା କେବେ ବି ଏହି ସଂଗଠନ ଚାହିଁ ନାହିଁ ବୋଲି କୁହାଯାଇଛି । ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ବିଶ୍ୱରେ ମନ୍ଦିର ସ୍ଥାପନ ସହ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ କରାଯାଉଥିବା ଇସ୍କନ କହିଛି । ତେଣୁ ଲୁଧିଆନା ଇସ୍କନ ପକ୍ଷରୁ ଆସନ୍ତା ନଭେମ୍ବର ୧୭ ତାରିଖରେ କରାଯିବାକୁ ଥିବା ରଥଯାତ୍ରାକୁ ବନ୍ଦ କରାଯାଇଛି ।

ବରଂ ପାରମ୍ପରିକ ଭାବେ ୨୦୨୦ ମସିହା ଆଷାଢ ମାସରେ ନିର୍ଧାରିତ ତିଥିରେ ରଥଯାତ୍ରା ଆୟୋଜିତ ହେବ ବୋଲି କହିଛନ୍ତି ଇସ୍କନ କର୍ତୃପକ୍ଷ । ପୂର୍ବରୁ ଏହି ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଅନ୍ୟପଟେ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଏତଲାମାନ ଦିଆଯାଇଥିଲା । ତେବେ ଏହି ସମସ୍ୟା ଭାବାବେଗ ସହ ଯୋଡା ହୋଇଥିବାରୁ ବୁଝାମଣା ମାଧ୍ୟମରେ ସମଧାନ କରିବାକୁ ଅପିଲ କରିଥିଲେ ସୌମ୍ୟରଂଜନ । ଏପରିକି ପଂଜାବ ମୁଖ୍ୟମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ । ଶେଷରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି କାର୍ଯ୍ୟକ୍ରମ ବାତିଲ କରିବା ନେଇ ସୂଚନା ଦେଇଛନ୍ତି ଇସ୍କନର ପଦାଧିକାରୀ ।