ରତ୍ନଭଣ୍ଡାରକୁ ଜଗି ରହିଛନ୍ତି କି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ? ଆସନ୍ତାକାଲି ରହସ୍ୟରୁ ଉଠିବ ପରଦା

37

କନକ ବ୍ୟୁରୋ : ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ରତ୍ନଭଣ୍ଡାରକୁ ନେଇ ଏକ ବଡ ରହସ୍ୟ ହେଉଛି, ଏନେଇ ରହିଥିବା ଲୋକକଥା । କୁହାଯାଏ, ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା । ଏହି ଲୋକକଥା ଅନୁସାରେ ଏହି କାରଣରୁ ଏଯାଏଁ ସୁରକ୍ଷିତ ରହିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏଥିରେ ସାପ ଅଛନ୍ତି କି ନାହିଁ, ସେନେଇ କୌତୁହଳ ଲାଗି ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଯେତିକି ରହସ୍ୟ ଯୋଡା ହୋଇରହିଛି, ସବୁଠୁ ବଡ଼ ରହସ୍ୟ ହେଉଛି ସାପକୁ ନେଇ । କୁହାଯାଏ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଘେରି ରହିଛନ୍ତି ବିଷଧର ସାପ । ତେବେ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳେନାହିଁ ।

RATNA BHANDARA

ଲୋକକଥା ଅନୁଯାୟୀ ବିଶ୍ୱାସ କରାଯାଏ ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା । ଏପରି ମଧ୍ୟ କୁହାଯାଏ ଯେ ବିଭିନ୍ନ ସମୟରେ ଭିତର ଭଣ୍ଡାର ଘରକୁ ଖୋଲିବାକୁ ପ୍ରୟାସ ବେଳେ ବିଷଧର ସର୍ପଙ୍କ ଗର୍ଜନ ଶୁଣାଯାଏ । ଆଉ ଏହିସବୁ ଲୋକକଥା ଭିତରେ ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହିଛି ରତ୍ନଭଣ୍ଡାରର ସର୍ପ ଉପାଖ୍ୟାନ । ଶୁଣିବାବୁ ମିଳେ, ଦେଶ ପରାଧୀନ ଥିବା ସମୟରେ ଜଣେ ଇଂରେଜ ଜିଲ୍ଲାପାଳ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । ସେତେବେଳେ ସ୍ୱପ୍ନରେ ସେ ବିକଟାଳ ଗର୍ଜନ ଶୁଣିବାରୁ ଏଥିରୁ ବିରତ ରହିଥିଲେ ।

ratna bhandar

ସେପଟେ ୧୯୮୪ ମସିହାରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଅନୁଭୂତି ଏହାକୁ ନେଇ ସଂପୂର୍ଣ୍ଣ ଭିନ୍ନ । ସେ ଯାଇଥିବା ସମୟରେ ସାପ ଦେଖିନଥିଲେ ବୋଲି କହିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ । ରତ୍ନଭଣ୍ଡାର ସହ ସାପକୁ ନେଇ ଅନେକ ଅଲୌକିକ କାହାଣୀ ରହିଛି । ତେବେ ଆଉ ଏକ ପକ୍ଷଙ୍କ କହିବା କଥା ବର୍ଷ ବର୍ଷ ଧରି ଗୃହ ବନ୍ଦ ହୋଇରହିଛି । ଦ୍ୱିତୀୟରେ ଅନ୍ଧାର ଘର, ତେଣୁ ସାପ ବାହାରିବା ଅସମ୍ଭବ ନୁହେଁ । ଏହି ଆଶଙ୍କାରେ ରତ୍ନଭଣ୍ଡାରକୁ ପ୍ରବେଶ କରାଯିବା ବେଳେ ସ୍ନେକ୍ ହେଲପଲାଇନର ସାହାଯ୍ୟ ନେଇପାରନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସମୟ ଯେତିକି ପାଖେଇ ଆସୁଛି, ରତ୍ନଭଣ୍ଡାର ଭିତରେ କ’ଣ ଅଛି, ଏ ନେଇ ଉତ୍ସୁକତା ପ୍ରକାଶ ପାଉଛି । ବିଶେଷ କରି ରତ୍ନଭଣ୍ଡାର ଘରୁ ସାପ ବାହାରୁଛି କି ନାହିଁ, ଏହାକୁ ନେଇ ମଧ୍ୟ ଉତ୍କଣ୍ଠା ବଢିବାରେ ଲାଗିଛି ।