ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ : ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପରେ କହିଲେ ଯାଂଚକାରୀ ଦଳ

ବସରେ ଲାଗିଥିଲା ସ୍ପିଡ କଂଟ୍ରୋଲର,ସଂନ୍ଧ୍ୟା ସୁଦ୍ଧା ଦିଆଯିବ ରିପୋର୍ଟ

388

କନକ ବ୍ୟୁରୋ : ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ । ଘଟଣାସ୍ଥଳକୁ ଯାଇ ଯାଂଚ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳ । ଏହା ସହିତ ସେ କହିଛନ୍ତି ବସଟି ୨୦୧୬ର ଓ ଏହି ବସ୍ରେ ସ୍ପିଡ୍ କଂଟ୍ରୋଲର ଲାଗିଥିଲା । ତେଣୁ ଘଂଟାପ୍ରତି ୬୦ କିମିରୁ ଅଧିକ ବେଗରେ ଗାଡି ଚଳାଇଲେ ସେ ଆପେ ଆପେ ବନ୍ଦ ହୋଇଯିବ । ସେହିପରି ଘଂଟାପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ ।

ଏହା ସହିତ ପୁରୁଣା ପୋଲର ଦୁର୍ବଳ ବାଡ ଯୋଗୁଁ ମଧ୍ୟ ବସଟି ତଳକୁ ଖସିପଡିବାର ଆଉ ଏକ କାରଣ ବୋଲି ମଧ୍ୟ କହିଛନ୍ତି ଯାଂଚକାରୀ । ରାଧାକ୍ରିଷ୍ଣନ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ ୩ ଜଣିଆ କମିଟି ଘଟଣାସ୍ଥଳକୁ ଯାଇ ଆଜି ତଦନ୍ତ କରିଛନ୍ତି । ଏଥିରେ ରୋଡ ସେଫଟି ଅଫିସର ଭାବେ ଜୁନିଅର ଏମଭିଆଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ଅଧିକାରୀ ଏବଂ ଏନଏଚଆଇର ଅଧିକାରୀ ସାମିଲ ହୋଇଥିଲେ । ଆଜି ଏହି ଟିମ୍ ମହାନଦୀ ଭିତରକୁ ବୋଟ ଯୋଗେ ଯାଇ ତଦନ୍ତ କରିଛନ୍ତି ।

ଯାନ୍ତ୍ରିକ ତ୍ରୁଟି ପାଇଁ ଏକ ପ୍ରକାର ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଂଚ ଚାଲିଛି । ଏହି କମିଟି ତଦନ୍ତ ରିପୋର୍ଟ ଆରଟିଓଙ୍କ ମାଧ୍ୟମରେ ରୋଡ ଟ୍ରାନ୍ସପୋର୍ଟ ଅଥରିଟିରେ ଥିବା ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ମହାନଦୀ ପୋଲ ଉପରେ ଦୁର୍ଘଟଣାରେ ଜଗନ୍ନାଥ ନାମକ ଏକ ବସ ୩୦ ଫଟ ତଳକୁ ଖସପଡିଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଥିଲେ ।