ରାଜଧାନୀରେ ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ! ବାସି ଖାଦ୍ୟ ବିକ୍ରି ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ

71

କନକ ବ୍ୟୁରୋ : ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଥିବା ଷ୍ଟଲଗୁଡ଼ିକରେ ବାସି ଖାଦ୍ୟ ବିକ୍ରି ନ କରିବାକୁ ନିର୍ଦେଶ ଦିଆଯାଇଛି । ଗତକାଲି ଦୁଇଟି ଷ୍ଟଲରେ ବାସି ଖାଦ୍ୟ ରହିଥିବା ନଜରକୁ ଆସିବା ପରେ ଆଜି ସ୍ୱାସ୍ଥ୍ୟ ବିଭାଗ ଚେଇଁ ଉଠିଛି । ଆଗାମୀ ଦିନରେ ଯେପରି କୌଣସି ଷ୍ଟଲରେ ବାସି ଖାଦ୍ୟ ବିକ୍ରି ନ ହୁଏ ସେଥିପାଇଁ ସମସ୍ତ ଷ୍ଟଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ଓ ସନ୍ଧ୍ୟାରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଷ୍ଟଲଗୁଡ଼ିକରେ ଖାଦ୍ୟର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ୨୪ଟି ଷ୍ଟଲରେ ଦେଶୀ ଓ ବିଦେଶୀ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ରାଜଧାନୀର ନାମୀ ହୋଟେଲ ଓ ରେ‌ସ୍ତୋରାଁ ଏହି ଷ୍ଟଲ ଖୋଲିଛନ୍ତି । ତେବେ ଗ୍ରାହକମାନଙ୍କୁ ଯେପରି ବାସି ଖାଦ୍ୟ ନ ମିଳେ ସେଥିପାଇଁ ୪ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ବା ଏଫ୍‌ଏସ୍‌ଓଙ୍କୁ ନିଯୁକ୍ତ କରାଯାଇଛି । ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କ କହିବାନୁଯାୟୀ, ଆଜି ୨୪ଟି ଷ୍ଟଲରେ ଖାଦ୍ୟର ଯାଞ୍ଚ କରାଯାଇଛି । ଗ୍ରାହକମାନେ ତରଳ ଖାଦ୍ୟ ଓ କଠିନ ଖାଦ୍ୟ ପାଇଁ ଥିବା ଡଷ୍ଟବିନ୍‌ରେ ପ୍ଲେଟ ପକାଇବାକୁ କୁହାଯାଇଛି । ଯାହାଫଳରେ ପରିମଳ ବ୍ୟବସ୍ଥା ବଜାୟ ରହିପାରିବ ।

ଯେଉଁ ତାରକା ହୋଟେଲଗୁଡ଼ିକର ଫେଷ୍ଟିଭାଲରେ ନିଜର ଷ୍ଟଲ ପକାଇଛନ୍ତି ସେମାନଙ୍କର ଖାଦ୍ୟ ତାରକା ହୋଟେଲରେ ମିଳୁଥିବା ଖାଦ୍ୟଠାରୁ କମ୍ ରହିଛି । ଏହାସହ ଗ୍ରାହକମାନଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ମଧ୍ୟ କୁହାଯାଇଛି । ଗତକାଲି ଯେଉଁ ଷ୍ଟଲରେ ବାସି ଖାଦ୍ୟ ଥିବା ନଜରକୁ ଆସିଥିଲା ତାହାକୁ ନଷ୍ଟ କରି ଦିଆଯାଇଥିବା ଡା.ରାଉତ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ ସମେତ ଖେଳାଳି ଓ ପର‌୍ୟ୍ୟଟକମାନେ ରହୁଥିବା ହୋଟେଲଗୁଡ଼ିକରେ ନିୟମିତ ଖାଦ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି । ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ହୋଟେଲଗୁଡ଼ିକର କର୍ମକର୍ତାଙ୍କୁ ଏଥିପାଇଁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିଲା ।