କନକ ବ୍ୟୁରୋ : ଜୀବନଟା ସମସ୍ୟା ବହୁଳ । ଅସୁବିଧା କାହା ଜୀବନରେ ନାହିଁ ? ଭଗବାନ୍ ମୋତେ ହାତ ଦେବା ପାଇଁ ଭୁଲି ଗଲେ, କିନ୍ତୁ ମୁଁ ପାଦରେ ଲେଖିବା ଶିଖିଗଲି । ମହାମାରୀ ସମୟରେ ୨୧ ବର୍ଷୀୟ ଭିନ୍ନକ୍ଷମ ଯୁବତୀ ପ୍ରିନ୍ସି ଗୋଗଇଙ୍କ ଯେତେବେଳେ ଏହି କଥା କୁହନ୍ତି, ତାଙ୍କ ଆଖିରେ ଗଭୀର ଆତ୍ମବିଶ୍ୱାସର ଝଲକ ସ୍ପଷ୍ଟ ବାରିହୋଇ ପଡ଼େ । ହାତ ନଥାଇ ତୁଳୀ ଧରି ଆଶା ଓ ସମ୍ଭାବନାର ଚିତ୍ର ଆଙ୍କୁଛନ୍ତି ଆସାମର ଭିନ୍ନକ୍ଷମ ଯୁବତୀ । ଆଉ ଏହି ଚିତ୍ର ବିକ୍ରି କରି ତାଙ୍କ ପରି ଦିବ୍ୟାଙ୍ଗ ଅସହାୟ ପିଲାଙ୍କ ପାଇଁ ଆର୍ଟ ସ୍କୁଲ ଖୋଲିବାର ଲକ୍ଷ୍ୟ ରଖି ସେ ଦିନରାତି କଠିନ ପ୍ରରିଶ୍ରମ କରୁଛନ୍ତି ।
ଆସାମରେ ଏକ ଛୋଟ ସହର ସୋନାରୀରେ ଜନ୍ମିତ ପ୍ରିନ୍ସିଙ୍କର ଜନ୍ମରୁ ଦୁଇ ହାତ ନାହିଁ । ହାତ ନଥିଲେ ବି ଆଖିରେ ଆଖିଏ ସ୍ୱପ୍ନ ନେଇ ଜୀବନର ଅଙ୍କାବଙ୍କା ରାସ୍ତାରେ ନିଜ ପାଇଁ ସ୍ୱତନ୍ତ୍ର ବାଟ ବାହାର କରିଦେଲେ ଭିନ୍ନକ୍ଷମ ଯୁବତୀ । ଆଜିକା ସମୟରେ ସକ୍ଷମ ହୋଇ ବି କିଛି ଲୋକ ଭିକ ମାଗୁଥିବା ବେଳେ ସେ ଅନ୍ୟ ଉପରେ ବୋଝ ନହୋଇ ଗୋଡ଼ରେ ସବୁ କାମ କରୁଛନ୍ତି । ପ୍ରିନ୍ସି ପାଦରେ ଲେଖି ଯୁକ୍ତ ଦୁଇ ପାସ୍ କରିଛନ୍ତି । ହାତ ନାହିଁ କିନ୍ତୁ ସେ ସିଙ୍ଗିଂ, ପେଣ୍ଟିଂ ଓ ଖେଳକୁଦରେ ବେଶ ପାରଙ୍ଗମ । ଆଗକୁ ଗନପତି ବାପ୍ପାଙ୍କ ପୂଜା ଆସୁଥିବାବେଳେ ପାଦର ଅଙ୍ଗୁଳିରେ ବ୍ରସ୍ ଧରି ସେ ଗଣେଷଙ୍କ ଏକ ପେଣ୍ଟିଂ ତିଆରି କରିଛନ୍ତି, ଯାହା ୩୦ ହଜାର ଟଙ୍କାରେ ବିକ୍ରି ହୋଇଛି । ପାଦରେ ସବୁ କାମ କରିବାରେ ସାମାନ୍ୟ ଅସୁବିଧା ହେଉଥିଲେ ହେଁ ହାରମାନିନାହାନ୍ତି ପ୍ରିନ୍ସି । ଦିବ୍ୟାଙ୍ଗ କୁନି କୁନି ଅସହାୟ ପିଲାଙ୍କ ପାଇଁ ଏକ ଆର୍ଟ ସ୍କୁଲ ଖୋଲିବା ପାଇଁ ଚାହୁଁଛନ୍ତି । ଏସବୁ ଭିତରେ ବର୍ତ୍ତମାନ ଗୁଆହାଟୀର ଏକ ବେସରକାରୀ ଡାକ୍ତରଖାନାରେ ଡେସ୍କ ଏକଜିକ୍ୟୁଟିଭ୍ ଭାବେ ଚାକିରି କରି ନିଜ ସହ ଘର ଖର୍ଚ୍ଚ ଉଠାଉଛନ୍ତି ।
ଆଜି ଜଣେ ସଫଳ ପେଣ୍ଟର ଭାବେ ପରିଚିତ, ପ୍ରିନ୍ସିଙ୍କ ଜୀବନଯାତ୍ରା ଏତେ ସହଜ ନଥିଲା । ହାତ ନାହିଁ ବୋଲି ସରକାରୀ ସ୍କୁଲରେ ଆଡ଼ମିସନ ମିଳିନଥିଲା । ବାପାମା’ ମୁଣ୍ଡରେ ହାତ ଦେଇ ବସିଥିଲେ । କିନ୍ତୁ ଗୋଟିଏ ଦ୍ୱାର ବନ୍ଦ ହୋଇଗଲେ ଭଗବାନ୍ ଆଉ ଗୋଟିଏ ଦ୍ୱାରା ଖୋଲିଦେବା ପରି ଅନ୍ୟ ଏକ ବେସରକାରୀ ପ୍ରାଇଭେଟ୍ ସ୍କୁଲରେ ତାଙ୍କୁ ଆଡ଼ମିସନ ମିଳିଗଲା । ଆଉ ତା’ପରେ ପଛକୁ ଫେରିଚାହଁ ନାହାନ୍ତି ଏହି ଯୁବତୀ ।
ପ୍ରିନ୍ସିଙ୍କ ମତରେ ସଫଳତା ପାଇବା ପାଇଁ ନିଜ ଭିତରେ ଅତୁଟ ଆତ୍ମବିଶ୍ୱାସ ଆବଶ୍ୟକ । ସେ କହନ୍ତି, ଏମିତି କୌଣସି କାମ ନାହିଁ, ଯାହା ମଣିଷ କରିପାରିବ ନାହିଁ । ମନରେ ଗଭୀର ବିଶ୍ୱାସ ଥିଲେ ରାସ୍ତା ଆପେ ଆପେ ମିଳିଯିବ । ନିଜର ଡିକ୍ସନାରୀରେ ଅସମ୍ଭବ ବୋଲି କୌଣସି ଶବ୍ଦ ରଖନ୍ତୁ ନାହିଁ । ନିଜ ଠାରୁ ଆଉ ବଡ଼ ଗୁରୁ କେହି ନୁହଁନ୍ତି । ନିଜର ଭୁଲ ବିଚାର କରି ସୁଧାରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରନ୍ତୁ । ପ୍ରତିଦିନ ଦକ୍ଷତାକୁ ବଢ଼ାଇବା ସହ କାମ କରିବାର ସମୟ ବଢ଼ାଇବା ନିହାତି ଆବଶ୍ୟକ ବୋଲି ସେ ମତ ଦିଅନ୍ତି ।